ଭୁବନେଶ୍ୱର(ଓଡବ୍ଲ୍ୟୁ):ପ୍ରାଇସ୍,ପେନସନ ଓ ପ୍ରେଷ୍ଟିଜ୍ ଦାବିରେ ନବନିର୍ମାଣ କୃଷକ ସଂଗଠନର ନେତୃତ୍ୱରେ ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶକୁ ପୁଲିସ ଭଣ୍ଡୁର କରିଛି ।ଏପଟେ ଚାଷୀଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ମନ୍ତ୍ରିସ୍ତରୀୟ କମିଟ ଗଠନ କରିଛନ୍ତି । ତେବେ ସରକାରଙ୍କ ଏହି ମନ୍ତ୍ରିସ୍ତରୀୟ କମିଟି ଏକ ଧୋକା ବୋଲି କହି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଏହାକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଚାଷୀ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହେବ ତାହା ଆଜି ରାତିରେ ଆଲୋଚନାରେ ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ।

ଭୁବନେଶ୍ୱରରେ ଚାଷୀ ସମାବେଶ ପାଇଁ ସହରକୁ ଉଭୟ ପାଶ୍ୱର୍ରୁ ଆସୁଥିବା ହଜାର ହଜାର ଚାଷୀଙ୍କୁ ସହର ଭିତରେ ପୁରାଇ ନଦେବା ପାଇଁ ରାଜରାସ୍ତାରେ ୧୪୪ ଧାରା ଜାରି କରି ପୁଲିସ ଗିରଫ କରିବା ପରେ ବିଧାନସଭା ସମ୍ମୁଖରେ ପ୍ରସ୍ତାବିତ ଚାଷୀ ସମାବେଶ ବାତିଲ ହୋଇଛି । ତେବେ ନ୍ୟାଯ୍ୟ ଦାବିରେ ଭୁବନେଶ୍ୱରକୁ ପଦଯାତ୍ରାରେ ଆସିଥିବା ଚାଷୀଙ୍କୁ ଅଟକାଇବା ଓ ବଳପୂର୍ବକ ଗିରଫ କରିବାକୁ ଦୃଢ଼ ଭାବେ ଶ୍ରୀ କୁମାର ନିନ୍ଦା କରିବା ସହ ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।
ପ୍ରାଇସ୍, ପେନସନ ଓ ପ୍ରେଷ୍ଟିଜ୍ ଦାବିରେ ଅକ୍ଟୋବର ୨୯ରୁ ଯାଜପୁରର କ୍ରୁଆଖିଆ ଓ ଖୋର୍ଦ୍ଧାର ବାଲୁଗାଁରୁ ହଜାର ହଜାର ଚାଷୀ ପଦଯାତ୍ରାରେ ଭୁବନେଶ୍ୱର ଆସିଥିଲେ । ତେବେ ପୁଲିସ ସେମାନଙ୍କୁ ଖଣ୍ଡଗିରି ଓ ହଂସପାଳ ନିକଟରେ ଅଟକ ରଖି ସହର ଭିତରକୁ ଯିବାକୁ ଦେଇନଥିଲା । ହଜାର ହଜାର ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନେଇ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏକ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯାଇ ଚାଷୀଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ତେବେ ଏହି କମିଟିକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।
ଅକ୍ଷୟ କୁମାର କହିଛନ୍ତି ଯଦି ଚାଷୀଙ୍କୁ ଭୁବନେଶ୍ୱର ସହର ମନା, ତା’ହେଲେ ନେତାଙ୍କୁ ବି ଗାଁ ମନା । ଭୋଟ ମାଗିବାକୁ କୌଣସି ନେତା ଗାଁକୁ ଯାଇପାରିବେ ନାହିଁ । ଭୋଟ ଗ୍ରହଣ ପାଇଁ ପୁଲିଂ ବାକ୍ସ ବି ଗାଁକୁ ଯାଇପାରିବ ନାହିଁ । ଚାଷୀଙ୍କୁ ଭତା ଦେବା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇନି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଷୀମାନେ କୁଆଡ଼େ ଯିବେ ନାହିଁ । ଲଢ଼େଇ ତୀବ୍ରତର ହେବ । ପ୍ରତି ବ୍ଳକ୍ ଓ ଗାଁରେ ଏହି ଆନ୍ଦୋଳନ ବ୍ୟାପିବ । ସରକାରଙ୍କ ଦମ୍ ଥିଲେ ଅଟକାଇ ଦେଖାନ୍ତୁ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି । ଗତକାଲି ରାତିରେ ଯେଉଁ ସ୍ଥାନରେ ଚାଷୀମାନେ ବିଶ୍ରାମ ନେଇଥିଲେ ସେଠାରେ ସମସ୍ତଙ୍କୁ ପୁଣିଥରେ ଏକଜୁଟ ହେବାକୁ କୁହାଯିବା ସହ ପରବର୍ତୀ କାର୍ଯ୍ୟପନ୍ଥା ସେଠାରେ ନିର୍ଦ୍ଧାରଣ କରାଯିବ ବୋଲି ଅକ୍ଷୟ କୁମାର କହିଛନ୍ତି ।
ଚାଷୀଙ୍କ ସମାବେଶ କରାଇ ନଦେବା ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।


