ଭୁବନେଶ୍ୱର(ଓଡବ୍ଲ୍ୟୁ):ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେଡି ଆସନ୍ତା ୫ତାରିଖରୁ ୩ଦିନ ଧରି ୨ଘଂଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,୨୦୧୪ ନିର୍ବାଚନ ସମୟରେ ବିଜେପି ୫ବର୍ଷ ମଧ୍ୟରେ ଭାରତବର୍ଷର ଯୁବଶକ୍ତିଙ୍କୁ ୧୦ କୋଟି ଚାକିରି ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହି ପ୍ରତିଶ୍ରୁତି ଆଜି ପାଣି ଫୋଟକାରେ ପରିଣତ ହୋଇଛି । ଘୋଷିତ ଚାକିରି ସୃଷ୍ଟି ହେବା ଦୂରର କଥା ଭାରତବର୍ଷରେ କୋଟି କୋଟି ଚାକିରି ବନ୍ଦ ହୋଇଯାଇଛି।ଓଡ଼ିଶାର ସନ୍ଦର୍ଭରେ ଏହି ୧୦ କୋଟି ଚାକିରି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା।କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହେଇନାହିଁ।ଏସବୁ କେବଳ ମିଥ୍ୟା ପ୍ରତିଶ୍ରୁତି ଓ ଯୁବଶକ୍ତିଙ୍କୁ ପ୍ରତାରଣା କହିଲେ ଅତ୍ୟୁକ୍ତି ହେବନାହିଁ ।
୧୮ବର୍ଷ ଧରି ବିଜେଡି ସରକାର ଯୁବଶକ୍ତିର ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଲା ବେଳେ କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ଏବଂ ଆମ ରାଜ୍ୟରୁ ବିପୁଳ ଖଣିଜ ସଂପଦ ଉତ୍ତୋଳନ କରି ମଧ୍ୟ ତା’ର ଅନୁରୂପ ନିଯୁକ୍ତି ସୁଯୋଗ ଓଡ଼ିଶାର ଯୁବକଯୁବତୀଙ୍କୁ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଇଣ୍ଡଷ୍ଟ୍ରିଆଲ୍ କରିଡର୍ର ଆବଶ୍ୟକତା ରହିଛି । କିନ୍ତୁ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରିଆଲ୍ କରିଡର୍ ସାଢେ ୪ ବର୍ଷ ମଧ୍ୟରେ ଯୋଗାଇ ଦେଇନାହାନ୍ତି । ଓଡ଼ିଶାରେ ୩୦ରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ପିଏସ୍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ । କେନ୍ଦ୍ର ସରକାର ଏହି ପିଏସ୍ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି । କେନ୍ଦ୍ରୀୟ ପିଏସ୍ୟୁମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି । ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ନଦେବା କେନ୍ଦ୍ର ସରକାରଙ୍କର ଯୁବ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ।
ଏହାର ପ୍ରତିବାଦରେ ଯୁବ ବିଜେଡି ଓ ଛାତ୍ର ବିଜେଡି ସମଗ୍ର ରାଜ୍ୟରେ ସମସ୍ତ କେନ୍ଦ୍ରୀୟ ପିଏସ୍ୟୁ ସମ୍ମୁଖରେ ଚଳିତମାସ ୫, ୬ ଏବଂ ୮ ତାରିଖରେ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଓଡ଼ିଶାର ଯୁବକଙ୍କ ପାଇଁ କେନ୍ଦ୍ରୀୟ ପିଏସ୍ୟୁମାନଙ୍କରେ ନିଯୁକ୍ତି ସୁଯୋଗ ଦାବି କରିବ ଏବଂ କେନ୍ଦ୍ର ସରକାର ସାଢ଼େ ୪ବର୍ଷ ଧରି ଚଳାଇଆସିଥିବା ଯୁବଶକ୍ତି ବିରୋଧରେ ପ୍ରତାରଣାର ଜବାବ ଦେବ।
ଏହି ବିକ୍ଷୋଭ ୫ ତାରିଖ ଦିନ ଦକ୍ଷିଣାଞ୍ଚଳ ଆର୍ଡିସି ଜୋନ୍ରେ କରାଯିବ, ୬ ତାରିଖରେ ପଶ୍ଚିମାଞ୍ଚଳ ଆର୍ଡିସି ଜୋନ୍ରେ ଏବଂ ୮ ତାରିଖରେ କେନ୍ଦ୍ରୀୟ ଆର୍ଡିସି ଜୋନ୍ରେ ଅନୁଷ୍ଠିତ ହେବ । ଓଡ଼ିଶାର ଯୁବଶକ୍ତିର ନ୍ୟାଯ୍ୟ ଦାବି ବିଶେଷକରି ନିଯୁକ୍ତି କ୍ଷେତ୍ରରେ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପୂରଣ କରିନାହାନ୍ତି ସେପର୍ଯ୍ୟନ୍ତ ରାଜ୍ୟର ଯୁବକ-ଯୁବତୀଙ୍କ ହକ୍ ପାଇଁ ବିଜେଡି ଜୋରଦାର ଲଢ଼େଇ ଜାରି ରଖିବ।ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।


