ଭୁବନେଶ୍ୱର୍ : ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ସୁମିତ୍ରା ମହାଜନଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ବ୍ୟକ୍ତିଗତ କାର୍ଯ୍ୟରେ ବାଚସ୍ପତି ଏବେ ବିଦେଶ ଗସ୍ତରେ ଥିବାରୁ ତାଙ୍କୁ ଭେଟି ଇସ୍ତଫା ଦେବା ସମ୍ଭବପର ହୋଇନି । ତେଣୁ ସେ ଇ-ମେଲ୍ ମାଧ୍ୟମରେ ତାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ନିଜ ପିତା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତ୍ୟୁର ୭ଦିନ ପରେ ଅର୍ଥାତ୍ ମେ’ ୨୮ତାରିଖରେ ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଥିଲେ । ଏହା ସହିତ କେନ୍ଦ୍ରାପଡ଼ା ସାଂସଦ ପଦରୁ ଖୁବଶୀଘ୍ର ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ସେ ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ ପୃଷ୍ଠାର ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ । ଅପରପକ୍ଷରେ ଶ୍ରୀ ପଣ୍ଡାଙ୍କ ଇସ୍ତଫା ଉପରେ ତାଙ୍କ ପିତାଙ୍କ ଶୁଦ୍ଧିକ୍ରିୟା ପରେ ବିଜେଡି ପ୍ରତିକ୍ରିୟା ରଖିବ ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବିଜେଡି ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ରଖିନି । ଶ୍ରୀ ପଣ୍ଡାଙ୍କ ଇସ୍ତଫା ସ୍ୱୀକାର କରାଯାଇଛି କି ନାହିଁ ତାହା ମଧ୍ୟ ସୂଚନା ଦେଇନି । ଦଳବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ପଣ୍ଡାଙ୍କୁ ବିଜେଡିରୁ ଚଳିତବର୍ଷ ଜାନୁୟାରୀ ୨୪ତାରିଖରେ ନିଲମ୍ବନ କରାଯାଇଥିଲା । ଏହି ନିଲମ୍ବନ ଆଦେଶ ଉପରେ ମଧ୍ୟ ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଥିଲେ । ଖୁବଶୀଘ୍ର ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।


