ଭୁବନେଶ୍ୱର/ଜଗତସିଂହପୁର(ସୌମ୍ୟ ଶେଖର ବେହେରା):ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଜଗତସିଂହପୁର ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ରାଜନୀତିକ ଗୋଟିଚାଳନା କରିଛନ୍ତି।ଜିଲ୍ଲା ବିଜେଡିରେ ଥିବା ଗୋଷ୍ଠୀକନ୍ଦଳକୁ ପ୍ରତିହତ କରି ସାଧାରଣ ନିର୍ବାଚନରେ ଜଗତସିଂହପୁରକୁ ବିଜେଡିର ଦୁର୍ଗ କରି ରଖିବା ନିମନ୍ତେ ଦୁଇ ଯୁବନେତା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ସୁପ୍ରିମୋ ଆସ୍ଥା ପ୍ରକଟ କରିଛନ୍ତି।ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ଦାମଙ୍କ ରାଜନୀତିକୁ ଦମନ ଓ ବିଷ୍ଣୁଙ୍କ ବିଶୃଙ୍ଖଳିତ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ଏବେ ପ୍ରତାପ ଓ ପ୍ରଶାନ୍ତଙ୍କୁ ନୂଆ ଦାୟିତ୍ୱ ଦେବା ନିର୍ବାଚନ ରଣନୀତିର ଅଂଶବିଶେଷ ବୋଲି ଜଣାପଡ଼ିଛି।
ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳରୁ ବହିଷ୍କୃତ ଡାକ୍ତର ରାଉତଙ୍କ କୂଟନୀତି ଓ ରାଜନୀତିକ ଗୋଟିଚାଳନା ଆଗରେ ଜଗତସିଂହପୁରରେ ବିଜେଡିର ଦୁର୍ଗକୁ ସୁରକ୍ଷିତ ରଖିବା ଏବେ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।ତେଣୁ ଏଭଳି ପରିପ୍ରେକ୍ଷୀରେ ବର୍ତମାନର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ନେତୃତ୍ୱରେ ସଂଗଠନକୁ ସୁଦୃଢ଼ ରଖିବା ସମ୍ଭବପର ନୁହେଁ ବୋଲି ଦଳୀୟ ନେତୃତ୍ୱ ଅନୁଭବ କରିଛନ୍ତି।ତା’ଛଡ଼ା ଗତ ଦୁଇବର୍ଷ ଧରି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ବିଷ୍ଣୁଙ୍କ ଏକଚାଟିଆ କାରବାର ଓ ସଂଗଠନରେ ଗୋଷ୍ଠୀବାଦକୁ ପ୍ରୋତ୍ସାହନ ଦେଉଥିବାର ନୀତି ସମ୍ପର୍କରେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିବା ଜଣାଯାଏ।ତେଣୁ ସୁପ୍ରିମୋ ଏସବୁକୁ ଅନୁଧ୍ୟାନ କରି ପ୍ରଶାନ୍ତଙ୍କୁ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିବାବେଳେ ପ୍ରତାପଙ୍କୁ ସହପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।
ପ୍ରଶାନ୍ତଙ୍କୁ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯିବା ପରେ ଜଗତସିଂହପୁର ସାଂସଦ କୁଳମଣୀ ସାମଲ, ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଓ ବିଭିନ୍ନ ବ୍ଲକ୍ ବିଜେଡି ସଭାପତିମାନେ ତାଙ୍କୁ ଭେଟି ସାଂଗଠନିକ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି।ବିଷ୍ଣୁଙ୍କ ସମର୍ଥକମାନେ ମଧ୍ୟ ତାଙ୍କର ତାଗିଦକୁ ଅଣଦେଖା କରି ଗୋପନରେ ସୌଜନ୍ୟମୂଳକ ସାକ୍ଷାତ କିମ୍ବା ଟେଲିଫୋନ୍ ମାଧ୍ୟମରେ ପ୍ରଶାନ୍ତଙ୍କୁ ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି।ଯେଉଁଥିପାଇଁ ପ୍ରଶାନ୍ତଙ୍କ ଏଭଳି ପ୍ରଭାବ ବିସ୍ତାରରେ ବିଷ୍ଣୁ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି।ନିଜର କୁର୍ସି ପ୍ରତି ବିପଦ ଆସିବା ଦେଖି ବିଷ୍ଣୁ ଏବେ ପ୍ରଶାନ୍ତ ବିରୋଧୀ ଗତିବିଧିରେ ଲିପ୍ତ ଥିବା ଜିଲ୍ଲା ବିଜେଡି ମହଲରେ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ ବିଷ୍ଣୁଙ୍କ କାର୍ଯ୍ୟରେ ସୁପ୍ରିମୋ ମଧ୍ୟ ସନ୍ତୁଷ୍ଟ ନଥିବାବେଳେ ତାଙ୍କୁ ଅଚାନକ ଜିଲ୍ଲା ସଭାପତି ପଦରୁ କାଢ଼ିଲେ ଭୁଲ୍ ସନ୍ଦେଶ ଯିବାର ସମ୍ଭାବନା ଥିବାରୁ ପ୍ରଶାନ୍ତ ଓ ପ୍ରତାପ ଯୋଡ଼ିଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା ସଂଗଠନରେ ପ୍ରତାପଙ୍କ ଅଭିଜ୍ଞତା ରହିଛି।ପ୍ରଶାନ୍ତ ମଧ୍ୟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ପୂର୍ବରୁ ଜିଲ୍ଲା ସଂଗଠନରେ ରହିଥିବା ତ୍ରୁଟି-ବିଚ୍ୟୁତିକୁ ଜାଣିବାରେ ସକ୍ଷମ ହୋଇଛନ୍ତି।ଉଭୟ ପ୍ରଶାନ୍ତ ଓ ପ୍ରତାପଙ୍କ ଅଭିଜ୍ଞତା ତଥା ମେଳାପୀ ସ୍ୱଭାବ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବାରେ ସକ୍ଷମ ହେବ।
ଦୀର୍ଘ ଦେଢ଼ ଦଶନ୍ଧି ଧରି ବିଷ୍ଣୁ ଦାସ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ବିଶୃଙ୍ଖଳିତ ଆଚରଣ ଓ ଏକଚାଟିଆ ସାଂଗଠନିକ କାରବାର ଯୋଗୁ ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ରହିଛି।ଦଳର ବିଧାୟକମାନଙ୍କ ସହ ପରାମର୍ଶ ନକରି ସେମାନଙ୍କ ନିର୍ବାଚନମଣ୍ଡଳୀରେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ଦେଇ ବିଷ୍ଣୁ ନିଜ ଗୋଡ଼ରେ କୁରାଢ଼ୀ ମାରିସାରିଛନ୍ତି।ଗତ ଦୁଇମାସ ତଳେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲାର ମହିଳା ପଦାଧିକାରୀଙ୍କ ନିଯୁକ୍ତି ଏହାର ପ୍ରକୃଷ୍ଟ ଉଦାହରଣ।
ବିଷ୍ଣୁଙ୍କ କଟ୍ଟରବିରୋଧୀଙ୍କୁ ରାଜଶ୍ରୀ ବ୍ଲକ୍ ଓ ନଗର ସଭାନେତ୍ରୀ କରିଥିଲେ।କିନ୍ତୁ ଉପରେ ଚାପ ପକାଇ ବିଷ୍ଣୁ ସେମାନଙ୍କୁ ହଟାଇବାର ୨୪ଘଂଟା ନପୁରୁଣୁ ରାଜଶ୍ରୀ ପୁଣିଥରେ ସେହି ନେତ୍ରୀମାନଙ୍କୁ ଜିଲ୍ଲା ମହିଳା କମିଟିର ଉପସଭାପତି କରାଇଥିଲେ।ଯାହାକି ବିଷ୍ଣୁଙ୍କୁ ଶକ୍ତ ଚାପୁଡ଼ା ସଦୃଶ ହୋଇଥିଲା।ସେହିପରି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନ ଓ ଗତ ପଂଚାୟତ ନିର୍ବାଚନରେ ଯେଉଁମାନେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ସେମାନେ ବିଷ୍ଣୁଙ୍କ ପ୍ରୋତ୍ସାହନରେ ଏବେବି ଦଳରେ ରହିଛନ୍ତି।ତେଣୁ ବିଷ୍ଣୁଙ୍କ ଏଭଳିି ବିଶୃଙ୍ଖଳିତ ସାଂଗଠନିକ କାର୍ଯ୍ୟ ଯୋଗୁ ତାଙ୍କ ଦ୍ୱାରା ଆୟୋଜିତ ହେଉଥିବା ପ୍ରକାରର ଦଳୀୟ କାର୍ଯ୍ୟକ୍ରମରୁ ରାଜଶ୍ରୀ ଓ ପ୍ରଶାନ୍ତ ଦୂରେଇ ରହୁଥିବା ଜଣାପଡ଼ିଛି।
ଆଗକୁ ନିର୍ବାଚନ ଆସୁଥିବାବେଳେ ବିଷ୍ଣୁଙ୍କ ଏଭଳି ଆଭିମୁଖ୍ୟରେ ଦଳୀୟ ସୁପ୍ରିମୋ କ୍ଷୁବ୍ଧ ଥିବା ଜଣାପଡ଼ିଛି।


