ଭୁବନେଶ୍ୱର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଆଜି ମହାନଦୀ ପାଣି ଉପଯୋଗ ପ୍ରସଙ୍ଗରେ ଦେଇଥିବା ବୟାନକୁ ବିଜେଡି ସାଂସଦ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ତୀବ୍ର ନିନ୍ଦା କରିଛି । ରମଣଙ୍କ ଏକଚାଟିଆ ଅଧିକାରକୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ଅଛି ଓଡ଼ିଶାର ମଧ୍ୟ ସେତିକି ଅଧିକାର ରହିଛି । ମହାନଦୀ ଜଳକୁ ନେଇ ଛତିଶଗଡ଼ ଏଭଳି ଦାଦାଗିରି କରିପାରିବ ନାହିଁ । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ଅଧିକାର ମହାନଦୀ ଉପରେ ଅଛି ଓ ଏଥିରୁ ଆମକୁ କେହି ବଞ୍ôଚତ କରିପାରିବେ ନାହିଁ । ମହାନଦୀକୁ ଛତିଶଗଡ଼ର ବନ୍ଦୀଶାଳାରୁ ମୁକ୍ତି ନଦେବା ପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ । ଏପରିକି ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶାର ଜନସାଧାରଣ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି । ସେହିପରି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ନଦୀ ଉପରେ କୌଣସି ସରକାର ଏକଚାଟିଆ ଅଧିକାର ସାବ୍ୟସ୍ତ କରିବା ଅନୁଚିତ୍ । ସୁପ୍ରିମକୋର୍ଟ ପୂର୍ବରୁ ଏଥିପାଇଁ ରାଜ୍ୟ ଦେଇସାରିଛନ୍ତି । କିନ୍ତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ସୁପ୍ରିମକୋର୍ଟଙ୍କ ବିରୋଧାଚରଣ କରୁଛି । ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ରହିଛି ଓଡ଼ିଶାର ମଧ୍ୟ ସେତିକି ଅଧିକାର ଅଛି । ରମଶ ସିଂ ସବୁବେଳେ ଓଡ଼ିଶା ବିରୋଧରେ ଷଡ଼ଯନ୍ତ୍ର କରି ଆସିଛନ୍ତି । ବେଆଇନ ଭାବେ ମହାନଦୀର ପାଣିକୁ ଅଟକାଇ ରଖିଛନ୍ତି । ତେଣୁ ତାଙ୍କର ଏଭଳି କହିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ବିଜେପି ନେତା ସମୀର ମହାନ୍ତି କହିଛନ୍ତି ଯେ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି । ତେଣୁ ଏଥିରେ କିଛି କହିବାର ନାହିଁ । ଯାହା ନିଷ୍ପତ୍ତି ହେବ ଟ୍ରିବ୍ୟୁନାଲରେ ହେବ । ସେଥିପାଇଁ ରାଜ୍ୟ ସରକାର ନଥିପତ୍ର ନେଇ ଯାଆନ୍ତୁ ।


