ଭୁବନେଶ୍ୱର : ରାଜ୍ୟର ୧୦ ଆକାଂକ୍ଷା ଜିଲ୍ଲାରେ ବିକାଶ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପାଣ୍ଠି ଦେବେ ନାହିଁ ବରଂ ଏସବୁ ଜିଲ୍ଲାରେ ବିକାଶ କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ୍(ଡିଏମ୍ଏଫ୍) ପାଣ୍ଠି ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ଯାହାକୁ ବିଜେଡି ତୀବ୍ର ବିରୋଧ କରିଛି ।
ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ବିଜେଡି ଆରମ୍ଭରୁ ଯେଉଁ ଆଶଙ୍କା କରିଥିଲା ତାହା ସତ ପ୍ରମାଣିତ ହୋଇଛି । ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଥମେ ସାମିଲ ହେବାକୁ ଚାହୁଁନଥିଲା । କିନ୍ତୁ ସେତେବେଳେ ଏସବୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ମିଳିବ ବୋଲି ଓଡ଼ିଶାକୁ ପ୍ରତିଶ୍ରୁତି ମିଳିଥିଲା । ମାତ୍ର ଏବେ ଆକାଂକ୍ଷା ଜିଲ୍ଲା ପାଇଁ କୌଣସି ସ୍ୱତନ୍ତ୍ର ପାଣ୍ଠି ନାହିଁ ଓ ଏସବୁ ଜିଲ୍ଲାର ବିକାଶ ନିମନ୍ତେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ତାକୁ କାର୍ଯ୍ୟକାରୀ ପାଇଁ ଡିଏମ୍ଏଫ୍ ପାଣ୍ଠି ଉପଯୋଗ କରିବାକୁ ନିତି ଆୟୋଗ ସିଇଓ ଓ କେନ୍ଦ୍ର ଖଣି ସଚିବ ଗତ ମେ’ ୧୭ତାରିଖରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୁରୁଣା ଯୋଜନାରେ ଥିବା ଟଙ୍କାକୁ ନୂଆ ନାଁରେ ବିନିଯୋଗ କରିବା ପାଇଁ ଲୋକଙ୍କ ପାଖରେ ବିଜେପି ଏଭଳି ଛଳନା କରୁଛି । ଲୋକଙ୍କ ସ୍ୱାର୍ଥ ପାଇଁ ଚେଷ୍ଟିତ ବୋଲି ଦେଖାଇ ହେଉଛି କିନ୍ତୁ ବାସ୍ତବରେ ସେମାନେ ପାଣିକୁ ଗୋଳିଆ କରି ପୁୂରୁଣା କଥାକୁ ନୂଆ ଭାବେ ଗଣମାଧ୍ୟମ ଆଗରେ ଦେଖାଇବାକୁ ଚାହୁଁଛନ୍ତି । କେନ୍ଦ୍ରୀୟ ପ୍ରଭାରୀ ଅଫିସର୍ଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ କେନ୍ଦ୍ରରେ ବିଜେପି ସରକାର ରାଜନୀତି କରୁଛି । କେନ୍ଦ୍ରରେ ଥିବା ଅଫିସର୍ମାନେ ଏତେ ପାରଙ୍ଗମ ଓ ରାଜ୍ୟର ଅଫିସର୍ମାନେ କ’ଣ ସକ୍ଷମ ନୁହଁନ୍ତି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଢେଙ୍କାନାଳ, ଗଜପତି,କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲା ଭାବେ ସାମିଲ କରିଛନ୍ତି ।


