ଭୁବନେଶ୍ୱର : କେବଳ ଗାନ୍ଧି ପରିବାରର କ୍ଷମତାର କ୍ଷୁଧାକୁ ମେଂଟାଇବା ପାଇଁ କଂଗ୍ରେସ ଦେଶର ଗଣତନ୍ତ୍ରକୁ ହତ୍ୟା କରିଥିଲା ବୋଲି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ଆଜି ୪୩ବର୍ଷ ପୂରଣ ହୋଇଥିବାରୁ ବିଜେପି ଏହାର ପ୍ରତିବାଦରେ ଦେଶବ୍ୟାପୀ ‘କଳାଦିବସ’ ପାଳନ କରିଛି । ଏହି ଅବସରରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି ।
ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ୧୯୭୫ ମସିହା ଆଜିର ଦିନରେ ଠିକ୍ ୪୩ବର୍ଷ ପୂର୍ବେ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଗଣତନ୍ତ୍ର ଓ ସମ୍ବିଧାନର କଣ୍ଠରୋଧ କରାଯାଇଥିଲା । ଦେଶର ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ କଟକଣା ଜାରି ହୋଇଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କୁ ବିନା ଦୋଷରେ ଜେଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୨ଲକ୍ଷ ଏଫ୍ଆଇଆର ପଞ୍ଜିକୃତ ହୋଇଥିଲା । ତଥାପି ଆନ୍ଦୋଳନ ଥମି ନଥିଲା । ଆନ୍ଦୋଳନକାରୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଥିଲା । ଏହି କାରଣରୁ ଭାରତୀୟ ଗଣତନ୍ତ୍ର ପାଇଁ ୧୯୭୫ ଜୁନ୍ ୨୬ତାରିଖ ଏକ କଳା ଦିବସ ହୋଇ ରହିବ । ବିଜେପିର ପ୍ରତିନିଧି ଭାବେ ସେ ଓଡ଼ିଶାର ୯୦୦ ସତ୍ୟାଗ୍ରହୀ ଓ ୩୦୦ ମିସା ବନ୍ଦୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାସୁମନ ଜଣାଇବା ପାଇଁ ସେ ଭୁବନେଶ୍ୱର ଆସିଛନ୍ତି । ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟଙ୍କ ପରି ନେତାମାନେ ଜରୁରୀ ପରିସ୍ଥିତିବେଳେ ଜେଲ୍ରେ ବନ୍ଦୀ ଜୀବନ ବିତାଇଛନ୍ତି । ଏହି ବିଶିଷ୍ଟ ବ୍ୟକ୍ତିମାନେ ଜରୁରୀ ପରିସ୍ଥିତିକୁ ବିରୋଧ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଇଥିବା ବଳିଦାନକୁ ବିଜେପି ଆଜି ସ୍ମରଣ କରୁଛି । ଶ୍ରୀମତୀ ଇରାନୀ ବିଜେପିର ଓଡ଼ିଶାରେ ମିଶନ-୧୨୦ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟବାସୀଙ୍କଠୁ ମିଳିଥିବା ବିପୁଳ ସମର୍ଥନ ଦଳକୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟତା ପ୍ରଦାନ କରିବ । ସ୍ୱାସ୍ଥ୍ୟ, ଶିକ୍ଷା ଓ ଆଇନଶୃଙ୍ଖଳାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସୁଶାସନ ଦିଆଯାଉଛି । ରାଜ୍ୟ ସରକାରର ଏହି ବିଫଳତା ପାଇଁ ବିଜେପି ରାଜ୍ୟରେ ଲକ୍ଷ୍ୟ ହାସଲ କରିପାରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ଆଜି ଶହୀଦ ନଗରରେ ବୁଣାକାର କେନ୍ଦ୍ର ପରିଦର୍ଶନ କରିବା ସହ ହୋଟେଲ ନ୍ୟୁ ମାରିୟନ୍ରେ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇଥିଲେ ।


