ଭୁବନେଶ୍ୱର(ଓଡ଼ିଶା ୱେୟାର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରସଙ୍ଗରେ ଆସନ୍ତା ଜାନୁଆରୀ ୮ ତାରିଖରେ ନୂଆଦିଲ୍ଲୀରେ ସଂସଦ ଭବନ ଘେରିବାକୁ ବିଜେଡି ନିଷ୍ପତି ନେଇଛି।ଧାନର ଏମଏସପି କ୍ୱିଂଟାଲ ପିଛା ୨୯୩୦ଟଙ୍କା କରିବା ଦାବିରେ ବିଜେଡିର ପ୍ରାୟ ୧୫ରୁ ୨୦ହଜାର କର୍ମୀ ସଂସଦ ଭବନ ଘେରିବେ।
ଆଜି ଏ ସମ୍ପର୍କରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କୃଷକ ସେଲ ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଦେଢ଼ଗୁଣା ମୂଲ୍ୟ ପ୍ରଦାନ ଓ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିନାହାନ୍ତି, ସେ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି ଆନ୍ଦୋଳନ ଜାରି ରଖିବ।ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରିବା କ୍ଷମତା ରାଜ୍ୟ ସରକାରଙ୍କ ନାହିଁ।ଏହା କେବଳ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ।ସିଏସିପି ଖାଦ୍ୟ ଶସ୍ୟର ଦର ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରନ୍ତି ଏବଂ କେନ୍ଦ୍ର ସରକାର ସେହି ଅନୁସାରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି।ଓଡ଼ିଶା ସରକାର ବାରମ୍ବାର କେନ୍ଦ୍ରକୁ ଅନ୍ୟାନ୍ୟ ଖାଦ୍ୟଶସ୍ୟ ସହିତ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି, ଯାହାକୁ କେନ୍ଦ୍ର ସରକାର ମାନିବାକୁ ନାରାଜ।ବିଧାନସଭାର ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାପାଇଁ ସମୟ ନଦେବା, ଓଡ଼ିଶାର ଚାଷୀମାନଙ୍କ ସମସ୍ୟା ସମାଧାନ ନକରିବା, କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା, ସ୍ୱାମୀନାଥନ କମିଟିକୁ ଲାଗୁ ନକରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା ପ୍ରତିବାଦରେ ଆସନ୍ତା ୬ ତାରିଖ ଦିନ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଦିଲ୍ଲୀ ଯାଇ ୮ ତାରିଖ ଦିନ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ବିଜୁ କୃଷକ ଜନତା ଦଳ ନିଷ୍ପତ୍ତି ନେଇଛି।
ଏହି କାର୍ଯ୍ୟକ୍ରମରେ ବିଜୁ କୃଷକ ଜନତା ଦଳ ସହିତ ବିଜୁ ଜନତା ଦଳ, ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ସମସ୍ତ ସାଂସଦ, ବିଧାୟକ, ସମସ୍ତ ଜିଲ୍ଲାର କୃଷକ ପ୍ରତିନିଧିମାନେ ଯୋଗ ଦେବେ।ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଚାଷୀକୁଳ ପ୍ରତି ଯେଉଁ ପ୍ରତାରଣା, ଅବିଚାର, ଅଣଦେଖା କରାଯାଇଛି, ତା’ର ପୁନଃ ବିଚାର କରାଯାଇ ଚାଷୀମାନଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳର ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନା, ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ସମସ୍ତ ଚାଷୀକୁଳଙ୍କ ସହଯୋଗ କାମନା କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।


