ଭୁବନେଶ୍ୱର : ଭାରତବର୍ଷର ଇତିହାସରେ ଆଜି ପର୍ଯ୍ୟନ୍ତ ଏ ପ୍ରକାରର ସ୍ଥାଣୁ ଏବଂ ଅପାରଗ ସରକାର କେନ୍ଦ୍ରରେ ବୋଧେ ଆସୀନ ହୋଇନଥିଲେ, ଯାହାକି ଏବେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ ଠାରେ ଦେଖାଯାଉଛି।
ସାଢ଼େ ୪ବର୍ଷ ମଧ୍ୟରେ ତୈଳ ଦର ୯୦ ଟଙ୍କାରୁ ଊର୍ଦ୍ଧ୍ବ ପହଞ୍ଚଥିଲାବେଳେ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜି ରାଜ୍ୟମାନଙ୍କ ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ହାସ୍ୟାସ୍ପଦ । ସାଧାରଣ ଖାଉଟିମାନେ ତୈଳ ଦର ବୃଦ୍ଧିକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଟିକସ ଭାବରେ ଆଦାୟ କରି ଦେଶର ସାଧାରଣ ଜନତାଙ୍କୁ ଲୁଣ୍ଠନ କରି ଚାଲିଛନ୍ତି ।
କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨୦୧୪ରେ ପେଟ୍ରୋଲି ଲିଟର ପିଛା ୯ଟଙ୍କା ୨୦ ପଇସା ଥିଲାବେଳେ ୨୦୧୮ରେ ଏହା ବୃଦ୍ଧି ପାଇ ୧୯ ଟଙ୍କା ୪୮ ପଇସାରେ ପହଞ୍ଚିଛି । ଏହା ୧୧୧ ପ୍ରତିଶତ ବୃଦ୍ଧି କରାଯାଇଥିଲା ବେଳେ ବିଜେଡି ଦ୍ୱାରା ବାରମ୍ବାର ଏହାକୁ କମାଇବା ପାଇଁ ଦାବି କରାଯାଉଥିବା ସତ୍ତ୍ୱେ କେନ୍ଦ୍ର ସରକାର ଏଥିରେ ନିରବରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସେହିକ୍ରମରେ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ୨୦୧୪ରେ ଲିଟର ପିଛା ୩ ଟଙ୍କା ୪୬ ପଇସା ଥିଲା ବେଳେ ୨୦୧୮ରେ ଏହା ବୃଦ୍ଧି ପାଇ ୧୫ ଟଙ୍କା ୩୩ ପଇସାରେ ପହଞ୍ôଚଛି । ତୈଳ ଦର କ୍ଷେତ୍ରରେ ଜାତୀୟ ରାଜସ୍ୱ ୨୦୧୩-୧୪ରେ ୮୮,୬୦୦ କୋଟି ଟଙ୍କା ଥିଲାବେଳେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇ ୨୦୧୬-୧୭ରେ ୨ଲକ୍ଷ ୫୩ ହଜାର ୨୫୪ କୋଟି ଟଙ୍କାରେ ପହଞ୍ôଚଥିଲା । ୨୦୧୪ରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୫ ଡଲାର ଥିଲାବେଳେ ଆଜିକା ଦିନରେ ଏହା ପ୍ରତି ବ୍ୟାରେଲ୍ ପିଛା ୭୨ ଡଲାର ଅଛି।କିନ୍ତୁ ତୁଳନାତ୍ମକ ଭାବେ ତୈଳ ଦର ହ୍ରାସ ପାଇବା ସ୍ଥାନରେ ବୃଦ୍ଧି ପାଇବା କେନ୍ଦ୍ର ସରକାରଙ୍କ ଭୁଲ ନୀତିଗୁଡିକୁ ପଦାରେ ପକାଇଛି ।
ଉଜ୍ଜ୍ୱଳା ଯୋଜନା ଦ୍ୱାରା ରନ୍ଧନ ଗ୍ୟାସ୍ ବଣ୍ଟନ କ୍ଷେତ୍ରରେ ଏକ ବୃହତ ଦୁର୍ନୀତି ସାମ୍ନାକୁ ଆସିଛି । ଏହି ଦୁର୍ନୀତି କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିବାବେଳେ ଏହାର ଚେର ଓଡ଼ିଶା ସାରା ମାଡ଼ିଛି ବୋଲି ଜଣାପଡିଛି । ଉଦାହରଣସ୍ୱରୂପ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରସ୍ଥିତ ଉଜ୍ଜ୍ୱଳା ଯୋଜନା ବଣ୍ଟନରେ ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଲା ପରେ ଆଇଓସିଏଲ୍ କର୍ତ୍ତୃପକ୍ଷଙ୍କୁ ବାଧ୍ୟବାଧକତାରେ ସମ୍ମୁଖକୁ ଆସି ଦୁର୍ନୀତି ହୋଇଛି ବୋଲି ସ୍ୱୀକାର କରିବାକୁ ପଡିଛି । ଏ ସଂକ୍ରାନ୍ତରେ ଆଇଓସିଏଲ୍ ଓଡ଼ିଶାର ମୁଖ୍ୟ ଜେନେରାଲ ମ୍ୟାନେଜର ପ୍ରୀତିଶ ଭରତ ଏକ ଗ୍ୟାସ୍ ଏଜେନ୍ସିକୁ ମଧ୍ୟ ନିଲମ୍ବିତ କରିଥିବା ସ୍ୱୀକାର କରିଛନ୍ତି ।
ଅପରପକ୍ଷରେ ଉଜ୍ଜ୍ୱଳା ଯୋଜନାକୁ ନେଇ ଏକ ମହାଦୁର୍ନୀତିର ଆଭାସ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ରାଜ୍ୟସଭାରେ ଉତ୍ତର ଦେଇ ସ୍ୱୀକାର କରିଛନ୍ତି । ୩୦ଲକ୍ଷ ହିତାଧିକାରୀ ଓଡ଼ିଶାରେ ଉଜ୍ଜ୍ୱଳା ଯୋଜନାରେ ସଂଯୋଗ ପାଇଥିଲେ ମଧ୍ୟ ଗତବର୍ଷ କେବଳ ୬ଲକ୍ଷ ହିତାଧିକାରୀ ରିଫିଲିଂ କରିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ସଂପୂର୍ଣ୍ଣ ବିଫଳ ଏବଂ ଦୁର୍ନୀତିର ଏକ ଗନ୍ତାଘର ପାଲଟିଛି । ଏଲ୍ପିଜି ଦରରେ ମଧ୍ୟ ଅହେତୁକ ବୃଦ୍ଧି ଦେଖାଦେଇଛି । ଜୁଲାଇ ୨୦୧୭ରେ ୧୪.୨ କେଜି ସିଲିଣ୍ଡର ୭୮୦ ଟଙ୍କାରେ ଉପଲବ୍ଧ ଥିଲାବେଳେ ଆଜି ତାହା ବୃଦ୍ଧି ପାଇ ୮୭୪ ଟଙ୍କାରେ ପହଞ୍ଚିଛି।
ତେଣୁ ଏହି ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ର କ୍ରମାଗତ ଦରବୃଦ୍ଧି ପ୍ରତିବାଦରେ ଅକ୍ଟୋବର ୧ ତାରିଖ ପୂର୍ବାହ୍ଣ ୧୦ଟାରେ ଯୁବ ବିଜେଡି,ଛାତ୍ର ବିଜେଡି ଏବଂ ମହିଳା ବିଜେଡି ପକ୍ଷରୁ ରାଜଭବନ ଆଗରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏ ସଂକ୍ରାନ୍ତରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ।ଯଦି କେନ୍ଦ୍ର ସରକାର ତୈଳ ଦର ହ୍ରାସ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।


