ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏକମାସ ଧରି ଜନସମ୍ପର୍କ ପଦଯାତ୍ରା କରିବ। ଅକ୍ଟୋବର ୨ରୁ ଏହା ଆରମ୍ଭ ହୋଇ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବ।ଆଜି ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲାସ୍ତରର କର୍ମକର୍ତା, ନିର୍ବାଚିତ ପ୍ରତିିନିଧି, ୱାର୍ଡ କମିଟି ସଦସ୍ୟ ଓ ଛାମୁଆ ସଂଗଠନ କର୍ମକର୍ତାମାନଙ୍କୁ ଚିଠି ଲେଖି ବିଭିନ୍ନ ପରାମର୍ଶ ଦେଇଛନ୍ତି।ପଦଯାତ୍ରା ସମୟରେ ପ୍ରତ୍ୟେକ ଘରକୁ ଯାଇ ବିଜେଡି ନେତାମାନେ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା ପ୍ରସାର ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଅବଗତ କରିବେ।
ଚିଠିରେ ସଭାପତି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ଭରସାର ପ୍ରତୀକ ବିଜୁ ଜନତା ଦଳ।ଓଡ଼ିଶାର ବିକାଶ ଓ ଓଡ଼ିଶାର ସ୍ୱାଭିମାନ, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବାରେ ବିଜେଡି ସର୍ବଦା ଗୁରୁତ୍ୱ ଦେଇଆସିଛି।ଦୀର୍ଘବର୍ଷ ଧରି ଓଡ଼ିଶା କେନ୍ଦ୍ରର ଅବହେଳାର ଶିକାର ହୋଇଆସୁଛି।ଏହି ଅବହେଳା ବିରୋଧରେ କେବଳ ବିଜେଡି ହିଁ ଦୃଢ଼ ଭାବରେ ନିଜର ସ୍ୱର ଉତ୍ତୋଳନ କରିଛି । ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଭିନ୍ନ ସମୟରେ ନିଜର ହକ୍ ଦାବି କରିଛି ।ଗତ ନିର୍ବାଚନ ସମୟରେ ବିଜେଡି ଦେଇଥିବା ପ୍ରତିଶ୍ରୁତିର ପରିପୂରଣ ସଂପର୍କରେ ଜନସାଧାରଣଙ୍କୁ ମଧ୍ୟ ଦଳର ନେତା ଓ କର୍ମୀମାନେ ଲୋକଙ୍କୁ ଅବଗତ କରାଇବେ।
ସେହିପରି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ବିଭିନ୍ନ ସମୟରେ ଅବହେଳା, ପକ୍ଷପାତିତା ସଂପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବେ।ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କେବିକେକୁ ସ୍ୱତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟ୍, ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାଯ୍ୟକାରୀ କରି ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଲାଗୁ କରି ଚାଷୀଙ୍କୁ ନ୍ୟାୟ ଦେବା, ଏବଂ ମହାନଦୀ ଓ ପୋଲାଭରମ୍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିବା, ଭାଟ୍ ଓ ବିମୁଦ୍ରୀକରଣର କୁପ୍ରଭାବ, ମୁଦ୍ରାର ବିନିମୟ ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ଏବଂ ସଂପ୍ରତି ଅହେତୁକ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ ଦର ବୃଦ୍ଧି କରି ସାଧାରଣ ଖାଉଟି-ଗୃହିଣୀଙ୍କ ଉପରେ ବୋଝ ଲଦିବା ସଂପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ବୋଲି ବିଜେଡି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ରିଲିଜରେ କହିଛନ୍ତି ।


