ଭୁବନେଶ୍ୱର : ବିଜେପି ସବୁ ସମୟରେ ଓଡିଶା ମା’, ମାଟି ଏବଂ ମହାନଦୀ ପାଇଁ ଲଢେଇ କରି ଆସୁଛି ଏବଂ ଭବିଷ୍ୟତରେ ମଧ୍ୟ କରିବ । ଏଥିରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଶାସକ ବିଜେଡି ଭଳି ପ୍ରତାରଣା କରି ବିଜେପି ଶସ୍ତା ରାଜନୀତି କରେନି । ମହାନଦୀ ବିବାଦର ଆଲୋଚନା ମାଧ୍ୟମରେ ସମାଧାନ କରିବା ପରିବର୍ତେ ପ୍ରଥମ ଦିନରୁ ଶାସକ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିଥିଲା । ଏବେ ଟ୍ରିବ୍ୟୁନାଲରେ ମହାନଦୀ ପ୍ରସଙ୍ଗ ଥିବାବେଳେ ମିଥ୍ୟା ତଥ୍ୟ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରି ରାଜରାସ୍ତାରେ ଆନ୍ଦୋଳନ କରିବାର ଯଥାର୍ଥତା କେତେ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଚରମ ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ ମହାନଦୀ ପ୍ରସଙ୍ଗରେ ଶେଷ ରାୟ ଶୁଣାଇ ପାରିବେ, ଅନ୍ତରୀଣ ରହିତାଦେଶ ଜାରି କରିପାରିବେ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରିପାରିବେ । ଦୀର୍ଘ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ମହାନଦୀ ସମେତ ଅନ୍ୟ କୈାଣସି ନଦୀମାନଙ୍କରେ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବ୍ୟାରେଜ ନିର୍ମାଣ କରିପାରିଲେ ନାହିଁ । ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପରେ ଶାସକ ବିଜେଡି ନ୍ୟାୟିକ ପ୍ରକ୍ରିୟାରେ ନଲଢି, ବିକ୍ଷୋଭ ଶୋଭାଯାତ୍ରା କରି, ରଣହୁଙ୍କାର ଛାଡି ଲୋକଙ୍କୁ ଭୁତେଇବା ପାଇଁ ଏଭଳି ନାଟକବାଜି କାହିଁକି କରୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଡଃ ସସ୍ମିତ ପାତ୍ର କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେପି ଶାଖା କେବଳ ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରୁଛନ୍ତି । ସୁପ୍ରିମ୍କୋର୍ଟରେ ଟ୍ରିବ୍ୟୁନାଲ ପ୍ରସଙ୍ଗ ଆସିବାବେଳେ ବିଜେପି ଶାସିତ କେନ୍ଦ୍ର ସରକାର ହିଁ ଟ୍ରିବ୍ୟୁନାଲ ଗଠନ ନହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ସେତେବେଳେ ରାଜ୍ୟ ବିଜେପି ନେତାଙ୍କ ସ୍ୱର କୁଆଡ଼େ ଯାଇଥିଲା । ପ୍ରତିବାଦର ଶବ୍ଦ କାହିଁକି ସେମାନଙ୍କଠୁ ଶୁଣିବାକୁ ମିଳିନଥିଲା । ଏବେ ଯେଉଁ ଯୁକ୍ତି ବିଜେପି ପକ୍ଷରୁ ଦର୍ଶାଯାଉଛି ତାହା ସମ୍ପୂର୍ଣ୍ଣ ଅଯୁକ୍ତି । ବିଜେଡି ସରକାରର ପ୍ରୟାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚଳିତବର୍ଷ ଟ୍ରିବ୍ୟୁନାଲ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ବି କେନ୍ଦ୍ର ସରକାର ଟାଳଟୂଳ ନୀତି ଆପଣାଇଛନ୍ତି । ଜୁନ୍ ମାସ ହେଲାଣି ଏପର୍ଯ୍ୟନ୍ତ ଟ୍ରିବ୍ୟୁନାଲ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଆଗକୁ ଛତିଶଗଡ଼ର ନିର୍ବାଚନ ଅଛି । ଛତିଶଗଡ଼ ନିର୍ବାଚନ ସରିଲାପରେ ବୋଧହୁଏ ସରକାର ଏ ଦିଗରେ କିଛି ପଦକ୍ଷେପ ନେବେ । ନିଜେ ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରୁଥିଲେ କିନ୍ତୁ ଏବେ ଟ୍ରିବ୍ୟୁନାଲ ସପକ୍ଷରେ କହୁଛନ୍ତି । ଏ ପ୍ରକାରର ପ୍ରହସନ,ପ୍ରତାରଣା କ’ଣ ପାଇଁ । କେବଳ ଓଡ଼ିଶାବାସୀଙ୍କ ସହ ବିଜେପି ପ୍ରବଞ୍ଚନା କରିଆସିଛି । ତେଣୁ ବିଜେପି ନିଜେ ଆତ୍ମସମୀକ୍ଷା କରୁ ବୋଲି ଡଃ ପାତ୍ର କହିଛନ୍ତି ।


