ଭୁବନେଶ୍ୱର : ରାଜ୍ୟରେ ଯାତ୍ରା ପାର୍ଟିଗୁଡ଼ିକ କ୍ଷତିରେ ଚାଲୁଥିବା ଦର୍ଶାଇ ଏହାର ଅସ୍ତିିତ୍ୱ ରକ୍ଷା ନିମନ୍ତେ ଓଡ଼ିଶା ଯାତ୍ରା ମାଲିକ ମହାସଂଘ ପକ୍ଷରୁ ୨୦ଟି ନିୟମାବଳୀ ଜାରି କରାଯାଇଛି । ଏହି ନିୟମାବଳୀକୁ ଯାତ୍ରାପାର୍ଟିର ସମସ୍ତ କଳାକାର ଓ କର୍ମଚାରୀମାନେ ମାନିବାକୁ ବାଧ୍ୟ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ବିଶେଷକରି କଳାକାର ଓ କର୍ମଚାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ମହାସଂଘ କଠୋର ଆଭିମୁଖ୍ୟ ପୋଷଣ କରିଛି ।
ମହାସଂଘର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ଏହି ନିୟମାବଳୀରେ କୁହାଯାଇଛି ଯେ, ଓଡ଼ିଶା ଯାତ୍ରା ମାଲିକ ସଂଘର ନିଷ୍ପତି କ୍ରମେ ଯାତ୍ରାପାର୍ଟିର କୌଣସି କଳାକାରଙ୍କୁ ବାର୍ଷିକ ୧୦ଲକ୍ଷ ଟଙ୍କାରୁ ଅଧିକ ପାରିଶ୍ରମିକ ଦିଆଯିବ ନାହିଁ । ଯେଉଁମାନେ ଏବେ ଅଧିକ ନେଉଛନ୍ତି ସେମାନଙ୍କର ଦାମକୁ ୧୦ଲକ୍ଷ ଟଙ୍କା ଭିତରେ ସୀମିତ ରଖାଯିବ । ସେହିପରି ଯେଉଁମାନେ ୧୦ଲକ୍ଷ ଟଙ୍କାରୁ କମ୍ ଦରମା ନେଉଛନ୍ତି ସେମାନଙ୍କର ଦରମାରେ ୨୫% ହ୍ରାସ କରାଯିବ । ଏଣିକି ରେକର୍ଡ ଡ୍ୟାନ୍ସରେ ସର୍ବାଧିକ ୧୦ଜଣ ପୁଅ ଓ ୧୦ଜଣ ଝିଅ ମଧ୍ୟରେ ସୀମିତ ରହିବ । ସେମାନଙ୍କର ପ୍ରତ୍ୟେକଙ୍କ ଦରମା ୮୦ହଜାର ଟଙ୍କାରୁ ଊଦ୍ଧ୍ୱର୍ ହେବ ନାହିଁ । ଯାତ୍ରା କଳାକାରଙ୍କୁ ଅଗ୍ରୀମ ବାବଦରେ ଦିଆଯିବାକୁ ୨ମାସର ଅର୍ଥ ଜୁନ୍ ମାସରେ ଦେବା ପାଇଁ ଧାର୍ଯ୍ୟ କରାଗଲା । ଯାତ୍ରା କଳାକାରଙ୍କୁ ଦିଆଯାଉଥିବା ସକାଳ ଜଳଖିଆ ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲା । ଏଣିକି ଆଉ ଡିସେମ୍ବର ମାସରେ କଳାକାରଙ୍କୁ ଛୁଟି ଦିଆଯିବ ନାହିଁ । ଏକାଥରେ ଜୁନ୍ ମାସ ୧ରୁ ୩୦ତାରିଖ ପର୍ଯ୍ୟନ୍ତ ଏକମାସ ପାଇଁ ଛୁଟି ଦିଆଯିବ । ତା’ପରେ ଆଖଡ଼ା ଆରମ୍ଭ ହେବ ଓ ଆଖଡ଼ା ଛୁଟି ଦିଆଯିବ ନାହିଁ । ଯାତ୍ରାନୁଷ୍ଠାନର ନାଟକଗୁଡ଼ିକୁ ସୁଟିଂ ପାଇଁ ବିକ୍ରି କରାଯିବ ନାହିଁ । କୌଣସି ଯାତ୍ରାନୁଷ୍ଠାନ ନିଜର ମଂଚକୁ ପ୍ରୋଗ୍ରାମ ପାଇଁ କୌଣସି ସେଲିବ୍ରେଟିଙ୍କୁ ଡାକିପାରିବେ ନାହିଁ କିମ୍ବା ଅନୁମତି ଦେବେ ନାହିଁ । କଳାକାରମାନଙ୍କୁ କେୟାରଟେକର ଦିଆଯିବ ନାହିଁ । କପୁଲ୍ ଛଡ଼ା ଅନ୍ୟମାନଙ୍କୁ ସିଙ୍ଗଲ୍ ରୁମ୍ ଦିଆଯିବ ନାହିଁ । ନିର୍ଦ୍ଦେଶକଙ୍କ ପସନ୍ଦ ଅନୁସାରେ ନାଟକରେ ଯାହା ଚରିତ୍ର ଦିଆଯିବ ଜଣେ କଳାକାର ସେହି ଅଭିନୟ କରିବାକୁ ବାଧ୍ୟ । ଯଦି କୌଣସି କଳାକାର ନାଟକ ସମୟରେ କାମରେ ଅବହେଳା କରନ୍ତି କିମ୍ବା ନାଟକ ଫେଲ୍ କରନ୍ତି ତେବେ ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । କୌଣସି କଳାକାର ପାର୍ଟି ଅଦଳବଦଳ କରିବାକୁ ଚାହିଁଲେ ନିଜ ଅନୁଷ୍ଠାନର ପ୍ରଯୋଜକଙ୍କ ଅନୁମତି ନେବାକୁ ବାଧ୍ୟ । ପ୍ରତ୍ୟେକ ଯାତ୍ରାନୁଷ୍ଠାନ ନିଜର ସାଜସଜ୍ଜାକୁ ଯଥା ସମ୍ଭବ ସୀମିତ କରାଇ ଗାଡ଼ି କମାଇବା ଓ ଖର୍ଚ୍ଚ କାଟ କରିବାକୁ ଯତ୍ନବାନ ହେବେ । ପ୍ରତ୍ୟେକ ଯାତ୍ରାନୁଷ୍ଠାନ ନାଟକ ପ୍ରତି ମୁଖ୍ୟତଃ ପ୍ରାଧାନ୍ୟ ଦେବେ ଓ ରେକର୍ଡ ଡ୍ୟାନ୍ସରୁ ଷ୍ଟଂଟ୍ ଡ୍ୟାନ୍ସକୁ ବାଦ୍ ଦିଆଗଲା । ଏଣିକି ଯାତ୍ରା କଳାକାରଙ୍କୁ ୨ଟି ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିବ । ପ୍ରଥମଟି ଅନୁଷ୍ଠାନର ନିୟମକୁ ନେଇ ଓ ଅନ୍ୟଟି ଯାତ୍ରା ମାଲିକ ମହାସଂଘର ନିୟମ ପାଇଁ ଉଦ୍ଦିଷ୍ଟ ହେବ । ଚୁକ୍ତିବେଳେ କଳାକାରଙ୍କୁ ନିଜର ଆଧାର କାର୍ଡର ଜେରକ୍ସ, ୨ଟି ପାସପୋର୍ଟ ଫଟୋ ଓ ନିଜ ନାଁରେ ଥିବା ବ୍ୟାଙ୍କ ଆକାଉଂଟର ୨ଟି ବ୍ଲାଙ୍କ୍ ଚେକ୍ ଦେବାକୁ ପଡ଼ିବ । ଚୁକ୍ତି କରି ଯଦି କୌଣସି କଳାକାର ନଆସେ କିମ୍ବା ଅନ୍ୟ ପାର୍ଟିକୁ ଯାଏ ତାଙ୍କୁ ଧାର୍ଯ୍ୟ ହୋଇଥିବା ବାର୍ଷିକ ଦରମାର ନିର୍ଦ୍ଧାରିତ ଅର୍ଥ ଫେରସ୍ତ ଦେବାକୁ ପଡ଼ିବ । ସେହିପରି ଯାତ୍ରା କମିଟି ଦେଇଥିବା ଘରକୁ ଆଗୁଆ ଯାଉଥିବା ମ୍ୟାନେଜରଙ୍କ ନିଷ୍ପତି ଅନୁସାରେ କଳାକାରମାନେ ରହିବାକୁ ବାଧ୍ୟ । ଯଦି କାହାର ପସନ୍ଦ ନହୁଏ ତେବେ ସେମାନେ ନିଜ ପସନ୍ଦରେ ଓ ନିଜ ଖର୍ଚ୍ଚରେ ରହିପାରିବେ । ଏହାର ଆଳ ଦେଖାଇ କର୍ମକ୍ଷେତ୍ରରେ ଅବହେଳା କରିପାରିବେ ନାହିଁ ।


