ଭୁବନେଶ୍ୱର(ଓଡ଼ିଶା ୱେୟାର): “ଓଡ଼ିଶାରେ ମିଶି ଆମେ ଭୁଲ୍ କରିଛୁ” । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଆଉ ତାଙ୍କର ଏହି ବୟାନ ପାଇଁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଅଡ଼ୁଆରେ ପଡ଼ିଛି । ଜୟନାରାୟଣଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ସୂଚନା ଅନୁସାରେ, ଆଜି ସମ୍ବଲପୁରରେ ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ କିସ୍ତି ବଂଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି ଯେ, ଓଡ଼ିଶା ଗଠନବେଳେ କୋଶଳ ପ୍ରଦେଶ ସେଥିରେ ମିଶ୍ରଣ ହେବା ଏକ ବଡ଼ ଭୁଲ୍ । ଉତ୍କଳ, କୋଶଳ ଓ କଳିଙ୍ଗକୁ ନେଇ ଓଡ଼ିଶା ଗଠନ ହେଲା । କିନ୍ତୁ ଉତ୍କଳ କହିଲେ କେବଳ କଟକ,ପୁରୀ ଓ ବାଲେଶ୍ୱର ଅଂଚଳକୁ ବୁଝାଉଛି । କୋଶଳ ଓ କଳିଙ୍ଗ ଅବହେଳିତ ଓ ନିଷ୍ପେଷିତ ହୋଇ ରହିଛନ୍ତି । ଯାହା ବିକାଶ ହେଉଛି କେବଳ ଉତ୍କଳର ହେଉଛି । ସମ୍ବଲପୁରବାସୀ ମନେରଖିବା ଉଚିତ୍ ଯେ, ଉତ୍କଳ, କୋଶଳ ଓ କଳିଙ୍ଗର ମିଶ୍ରଣରେ ଓଡ଼ିଶା ପ୍ରଦେଶର ଗଠନ ହୋଇଥିଲା । ଆମେମାନେ ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛୁ । ଖଣି,କୃଷି,ଜଙ୍ଗଲ ଓ ଚାକିରି ଆଦି ସବୁକ୍ଷେତ୍ରରେ । ଆମକୁ ସାଂସ୍କୃତିକ ଅଧିକାରରୁ ବଂଚିତ କରାଯାଉଛି । ଓଡ଼ିଶାରେ କୋଶଳର ମିଶ୍ରଣ ଏକ ଐତିହାସିକ ଭୁଲ୍ ଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନକୁ ନେଇ ବିଜେପିର ବରିଷ୍ଠ ବିଧାୟକ ଏଭଳି ବିସ୍ଫୋରକ ବୟାନ ଦେଇଥିଲେ ।
ରାଜ୍ୟରେ ବିଜେପି ସରକାର ଥିବାବେଳେ ଜୟନାରାୟଣଙ୍କ ତୁଣ୍ଡ ପାଇଁ ସରକାରକୁ ବିଭିନ୍ନ ସମୟରେ ଅଡ଼ୁଆରେ ପଡ଼ୁଛନ୍ତି । ରାଜ୍ୟର ଭାଷାବିତଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଜୟନାରାୟଣଙ୍କ ଏଭଳି ବୟାନକୁ କଡ଼ା ସମାଲୋଚନା କରିଛନ୍ତି । ନିଜ ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଛି ବୋଲି ନିକଟରେ ଜୟନାରାୟଣ ଗଣମାଧ୍ୟମରେ କହିଥିଲେ ।


