ଭୁବନେଶ୍ୱର : ଚିଲିକାରେ ଡଙ୍ଗାବୁଡ଼ି ଜଣେ କୁନି ଝିଅଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି । ୧୨ଜଣଙ୍କୁ ଉଦ୍ଧାର କରାଯାଇଛି । ମା’ କାଳିଜାଈ ଦର୍ଶନ ସାରି ଡଙ୍ଗାରେ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ସମନ୍ୱୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆହତଙ୍କ ମାଗଣା ଚିକିତ୍ସା କରାଯିବ ବୋଲି କହିଛନ୍ତି ।
ସୂଚନା ଅନୁସାରେ ଭୁବନେଶ୍ୱର ଓ ନୟାଗଡ଼ର ରଣପୁର ଅଂଚଳର ୧୫ଜଣ ପର୍ଯ୍ୟଟକ ଆଜି ମା’ କାଳିଜାଈଙ୍କ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଅପରାହ୍ନ ୫ଟାରୁ ସାଢ଼େ ୫ଟା ମଧ୍ୟରେ ସେମାନେ ଏକ ଡଙ୍ଗାରେ ବାଲୁଗାଁ ଅଭିମୁଖେ ଫେରୁଥିଲେ କିନ୍ତୁ ମଝି ଚିଲିକାରେ ଥିବାବେଳେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା । ଅତର୍କିତ ବର୍ଷା ହେବାକୁ ନାଉରିଆ ଡଙ୍ଗାର ମଙ୍ଗକୁ ସମ୍ଭାଳି ପାରିନଥିଲା । ଚିଲିକା ମଝିରେ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ୧୩ଜଣଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ୮ବର୍ଷର ଝିଅ ଶ୍ରଦ୍ଧାଞ୍ଜଳିକୁ ଡାକ୍ତରମାନେ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟ ୨ଜଣଙ୍କୁ ଖୋଜିବା ପାଇଁ ଅଗ୍ନିଶମ, ଓଡ୍ରାଫ୍, ନୌସେନା, ପୁଲିସ୍ ଓ ମତ୍ସ୍ୟଜୀବୀମାନେ ମିଳିତ ଅପରେସନ ଚଳାଇଛନ୍ତି ।
ମୃତ କୁନି ଝିଅର ବୟସ ୮ବର୍ଷ ଓ ତାଙ୍କ ନାଁ ଶ୍ରଦ୍ଧାଞ୍ଜଳି ବୋଲି ଜଣାପଡ଼ିଛି । ନୟାଗଡ଼ର ରଣପୁର ଅଂଚଳର ରବିନାରାୟଣ ଦାସଙ୍କ ଝିଅ ସେ । ମାଆ କାଳିଜାଈଙ୍କ କାହାଣୀରେ ଜାଈ ବୁଡ଼ିଯିବା ଭଳି ଆଜି ତାଙ୍କ ଝିଅ ବୁଡ଼ିଯାଇଛି ବୋଲି କୋହ ସମ୍ଭାଳି ପାରୁନଥିବା ପିତା ରବିନାରାୟଣ ଦାସ କହିଛନ୍ତି ।


