ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ପରଲୋକ ହୋଇଯାଇଛି । ଆଜି ସକାଳେ ଏକ ଘରୋଇ ହସପିଟାଲରେ ସେ ଆଖି ବୁଜିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସାନପୁଅ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଜଣେ ପରୋପକାରୀ ଓ ଧର୍ମ ରାୟଣ ମହିଳା ଭାବେ ସରସ୍ୱତୀ ସମସ୍ତଙ୍କର ପ୍ରିୟଭାଜନ ଥିଲେ ।
ସରସ୍ୱତୀଙ୍କର ତିନି ପୁଅ ଓ ଦୁଇ ଝିଅ । ସବା ସାନ ପୁଅ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ପରଲୋକ ଖବର ପାଇ ହସ୍ପିଟାଲ୍କୁ ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା । ହସପିଟାଲରୁ ତାଙ୍କ ମରଶରୀରକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଦେବୀପ୍ରସାଦ ମିଶ୍ର ,ମେୟର ଅନନ୍ତ ନାରାୟଣ ଜେନା , ପୂର୍ବତନ ବାଚସ୍ପତି ଶରତ କର, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବହୁ କପର୍ପୋରେଟର , ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଦାଙ୍କ ସମେତ ବହୁ ରାଜନେତା, ସାମ୍ବାଦିକ, ସରକାରୀ ଅଫିସର ସ୍ୱର୍ଗତାଃ ଶ୍ରୀମତୀ ଜେନାଙ୍କୁ ଶେଷ
ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ମରଶରୀରକୁ ତାଙ୍କର କଟକସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । କଟକସ୍ଥିତ ବାସଭବନରେ ବହୁ ରାଜନେତା, ଶୁଭେଚ୍ଛୁ , ସାଧାରଣ ଲୋକଙ୍କ ଭିଡ଼ ହୋଇଥିଲା । ସମସ୍ତେ ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।


