ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ ବିରୁଦ୍ଧରେ ଲଢ଼େଇ କରୁଥିବା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିରେ ସବୁ ବୟସର ଓ ସବୁବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ୍ ବିରୁୂଦ୍ଧରେ ସଂଗ୍ରାମକୁ ଆହୁରି ଦୃଢ଼ କରିବା ସହ ନୈତିକ ଶକ୍ତି ଯୋଗାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ସମସ୍ତ ରାଜନୀତିକ ଦଳ ଏହି ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା ମାଟିର ଗୌରବ ବୃଦ୍ଧି ସହିତ ଓଡ଼ିଆ ଜାତିର ସମ୍ମାନକୁ ଶିଖରରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀଙ୍କ ନିବେଦନକ୍ରମେ ଆଜି ସନ୍ଧ୍ୟାରେ ସମଗ୍ର ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆମାନେ ଏକାସଙ୍ଗେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିଥିଲେ।


