ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ଗାଁଠୁ ସହର, ଦେଶ ବିଦେଶରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ” ଗାଇଛନ୍ତି। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ସମସ୍ତେ ଏହାକୁ ଗାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଥିବା ଓଡିଆ ବି କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡିଆ ଲୋକେ ଗାଇଥିବା ଦେଖିବାକୁ ମିଳିଛି।

କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କରାଯାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ବିଧାନସଭା ସମ୍ମୁଖରେ ବିଧାନସଭା କର୍ମଚାରୀମାନଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଗାଇଛନ୍ତି।

ସେହିଭଳି ଲୋକସେବା ଭବନରେ ସହକର୍ମୀଙ୍କ ସହ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗାଇଥିବାବେଳେ ପୋଲିସ ଭବନରେ ପୋଲିସ କମିଶନର ମଧ୍ୟ ସହକର୍ମୀଙ୍କ ସହ ଗାଇଛନ୍ତି ।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନେତୃତ୍ୱରେ କର୍ମଚାରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। କଟକ ପୋଲିସ ମୁଖ୍ୟାଳୟ ଓ କ୍ରାଇମବ୍ରାଂଚ ମୁଖ୍ୟାଳୟରେ ସମୂହ ଗାନ କରିଥିବା ଦେଖିବାକୁ ମିଳିଛି।

ଏହାଛଡା କଳିଙ୍ଗ ଷ୍ଟାଡିୟମରେ ଶତାଧିକ କ୍ରୀଡାବିତ୍ ସମୂହ ଗାନ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ ‘ବନ୍ଦେ ଉତ୍କଳ ଜନନୀ’ଗାନ କରାଯାଇଛି।


