ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ୭୫୪୪ କୋଟି ଟଙ୍କା ଅନୁଦାନ ବକେୟା ରହିଛି। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିୟମିତ ଭାବେ କେନ୍ଦ୍ରୀୟ ଅନୁଦାନକୁ ଅନୁଧ୍ୟାନ କରିବା ସହ ତାଙ୍କ ନଜରକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶନିବାର ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ବିଭିନ୍ନ ଯୋଜନାରେ ବକେୟା ଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ଏନ୍ଏସ୍ଏପି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସମେତ ଅନ୍ୟ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ବାବଦକୁ ରହିଥିବା ବକେୟା ଅର୍ଥ ଏଯାଏଁ ରାଜ୍ୟକୁ ମିଳିନାହିଁ।
କେନ୍ଦ୍ର ଉପରେ ରାଜ୍ୟର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୦୦ କୋଟିରୁ ଊଦ୍ଧ୍ୱର୍ ଅର୍ଥ ବାକି ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ବାବଦରେ ୩୭୫ କୋଟି, ମନରେଗା ଯୋଜନା ବାବଦରେ ୪୦୦ କୋଟି ଟଙ୍କା ବକେୟା ରହିଛି। ସେହିପରି ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ବାବଦରେ ରାଜ୍ୟ ବଜେଟରୁ ୩୦୦୦ କୋଟି ଟଙ୍କା ବ୍ୟୟ କରିଥିବା ବେଳେ କେନ୍ଦ୍ର ସରକାର ୧୮୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ମଞ୍ଜୁର ହୋଇଥିବା ଟଙ୍କାରୁ ରାଜ୍ୟକୁ ଏପର୍ୟ୍ୟନ୍ତ ୮୦ କୋଟି ଟଙ୍କା ମିଳିଛି। ସେହିପରି ସ୍ମାର୍ଟ ସିଟି ଅଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ କାର୍ୟ୍ୟକ୍ରମ ବାବଦକୁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ମାତ୍ର ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ ୫-ଟିର କାର୍ଯ୍ୟକାରିତାକୁ ନେଇ ବୈଠକରେ ଆଲୋଚନା କରି ଏହା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଆବାସିକ ଓ ସ୍ୱତନ୍ତ୍ର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀରେ ଓଡ଼ିଶାର ସାଂସ୍କୃତିକ ଭବନ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।


