ଭୁବନେଶ୍ୱର(ଓଡ଼ିଶା ୱେୟାର):ଗୁଜୁରାଟର ସୁରଟରେ ଥିବା ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ ସୁରଟ ଗସ୍ତରେ ଯିବାର ମାତ୍ର ୪୮ଘଂଟା ପୂର୍ବରୁ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଦାବି କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କ ପାଖରେ ରଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଭିନ୍ନ ଭିନ୍ନ ଚିଠି ଲେଖି ସୁରଟରେ ରହୁଥିବା ଓଡ଼ିଆଙ୍କ ନିମନ୍ତେ ସୁଖସୁବିଧା କରିବା ପାଇଁ ଅନୁରୋଧ କରିଛନ୍ତି।ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି ଲେଖି ବ୍ରହ୍ମପୁର-ସୁରଟଙ୍କ ମଧ୍ୟରେ ଦୈନିକ ୨ଟି ଟ୍ରେନ ଯାତାୟତ ଏବଂ ସୁରଟ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି।ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୋଟିଏ କମ୍ୟୁନିଟି ସେଂଟର ସ୍ଥାପନ ନିମନ୍ତେ ସୁରଟ ସହରରେ ୧ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହି କମ୍ୟୁନିଟି ସେଂଟର ସ୍ଥାପନ ଦ୍ୱାରା ଗୁଜରାଟ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଭାବର ଆଦାନପ୍ରଦାନ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ୧୭ତାରିଖରେ ପ୍ରସ୍ତାବିତ ସୁରଟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ଆକର୍ଷଣୀୟ ଘୋଷଣା କରିବାର ସମ୍ଭାବନା ରହିଛି। ସେଠାରେ ପ୍ରବାସୀ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ଅବସରରେ ପ୍ରବାସୀ ଓଡ଼ିଆ(ଅଧିକାଂଶ ଗଞ୍ଜାମ ଜିଲ୍ଲାର) ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ କେଉଁସବୁ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।ଗଞ୍ଜାମ ଜିଲ୍ଲାର ବିଜେଡି ବିଧାୟକମାନେ ଆସନ୍ତାକାଲି ସୁରଟ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ କରିବେ ବୋଲି ଜଣାପଡ଼ିଛି।


