ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଜି ୩୦ଜଣ ପୂର୍ବତନ ମାଓବାଦୀ ଏକାଠି ବସି ବିଶ୍ୱକପ୍ ହକି ମ୍ୟାଚ୍ ଉପଭୋଗ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ବସି ହକି ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିବା ଏହି ୩୦ ଜଣଙ୍କ ଭିତରୁ ୨୦ ଜଣ ମାଲକାନଗିରିର ବାସିନ୍ଦା ହୋଇଥିବାବଳେ ୧୦ ଜଣ କୋରାପୁଟର ବାସିନ୍ଦା। ପୁଣି ସେମାନଙ୍କ ଭିତରୁ ୧୬ ଜଣ ମହିଳା ଥିଲେ, ଦିନେ ଯେଉଁମାନେ ଲାଲ୍ଗଡ଼ର ଛଳନାରେ ପ୍ରଭାବିତ ହୋଇ ଦେଶର ଆଇନ କାନୁନ୍କୁ ତୁଚ୍ଛ ବୋଲି ବିଚାର କରୁଥିଲେ। ସିପିଆଇ ମାଓବାଦୀ ଦଳର ବିଭିନ୍ନ ପଦପଦବୀରେ ବି ସେମାନେ କାମ କରୁଥିଲେ।
କଥାବାର୍ତ୍ତା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ସେମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ। ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଲାଗି ରାଜ୍ୟ ସରକାର ବିକାଶୋନ୍ମୁଖୀ, ଅତ୍ୟନ୍ତ ଉଦାରବାଦୀ ଏବଂ ଲାଭ ଦାୟକ ଆତ୍ମ ସମର୍ପଣ ଓ ଥଇଥାନ ନୀତି ବିଷୟରେ କହିଥିଲେ। ଏହାସହ ରାଜ୍ୟ ସରକାରଙ୍କ ବିକାଶମୂଳକ ଗରିବ ଭିତ୍ତିକ କାର୍ୟ୍ୟକ୍ରମଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିଲାଗି ତତ୍ପର ଥିବା କହିଛନ୍ତି। ସେଇଥିପାଇଁ ଆଭ୍ୟନ୍ତରୀଣ ଗାଁ ଗୁଡ଼ିକ ଲାଗି ରାସ୍ତା ଯୋଜନା କରାଯାଉଛି। ଗୁରୁପ୍ରିୟା ସେତୁ ଏବଂ ଅନ୍ୟ ପାନୀୟ ଜଳ ପ୍ରକଳ୍ପ ବିଜୁଳିକରଣ ଯୋଜନା, ସ୍ଵାସ୍ଥ୍ୟ ସେବା ଶିକ୍ଷା ଆଦି ଏହାର ଉଦାହରଣ ।
ଆଜି କଳିଙ୍ଗ ଷ୍ଟାଡିୟମ୍କୁ ଆସିବା ପୂର୍ବରୁ ସେମାନେ ନନ୍ଦନକାନନ ଯାଇଥିଲେ। ଆସନ୍ତା କାଲି ସେମାନେ ଲିଙ୍ଗରାଜ ମନ୍ଦିର, ପୁରୀ ଶ୍ରୀମନ୍ଦିର ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି।


