ଭୁବନେଶ୍ୱର : ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଡଃ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୁଲାଇ ୪ ତାରିଖରେ ବିହାର ଗସ୍ତରେ ଯିବ ବୋଲି ଜଣାପଡ଼ିଛି ।
ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ ପାଇଁ ଡଃ ସାହୁଙ୍କ ନେତୃତ୍ୱରେ ଗଠିତ ୫ଜଣିଆ କମିଟିରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଦୂରେଇ ରହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା କମିଟି ଅଧ୍ୟକ୍ଷ ଡଃ ସାହୁ କହିଛନ୍ତି ଯେ ବିଧାନ ପରିଷଦ ଗଠନ ପ୍ରଣାଳୀ ଅନୁଧ୍ୟାନ ପାଇଁ ଜୁଲାଇ ୪ ଓ ୫ତାରିଖରେ କମିଟି ବିହାର ଗସ୍ତ କରିବ । ଅନ୍ୟପକ୍ଷରେ ଏହି କମିଟିରେ କେବଳ ବିଜେଡି ସଦସ୍ୟମାନେ ବିହାର ଗସ୍ତ କରିବେ ବୋଲି ସୂଚନା ମିଳିଛି । ବିଜେଡିର ପ୍ରମିଳା ମଲ୍ଲିକ ଓ ମନୋହର ରନ୍ଧାରୀ ଏହି କମିଟିର ସଦସ୍ୟ ଅଛନ୍ତି । ତେବେ କମିଟିରେ ସଦସ୍ୟ ଥିବା ବିଜେପି ବିଧାୟକ ନୀତିଶ ଗଙ୍ଗଦେବ ଓ କଂଗ୍ରେସ ବିଧାୟକ ଭୁଜବଳ ମାଝୀ ସଦସ୍ୟ ଅଛନ୍ତି । କମିଟି ପୂର୍ବରୁ ମଧ୍ୟ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ବିନା ୨୦୧୫ ମସିହାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରିଥିଲା । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟିକୁ ବିହାର ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ବିଧାନ ପରିଷଦ ଗଠନ ପ୍ରଣାଳୀର ଅନୁଧ୍ୟାନ ପାଇଁ ଅନୁମତି ଦେଇଥିଲେ ।


