ଭୁବନେଶ୍ୱର : ୩ବର୍ଷ ବ୍ୟବଧାନରେ ପ୍ରଥମଥର ପାଇଁ ଆଦିବାସୀ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଦିବାସୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ପ୍ରକ୍ରିୟାକୁ ସରଳ କରାଯିବ ଓ ଏଥିପାଇଁ ଆଇନରେ ଆବଶ୍ୟକ ସୁଧାର ଆଣିବାକୁ ନିଷ୍ପତି ହୋଇଛି । ସେହିପରି ୨୦୧୯ ମାର୍ଚ୍ଚ ସୁଦ୍ଧା ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଚିହ୍ନଟ କରି ହସ୍ତାନ୍ତର କରାଯିବ ।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଆଦିବାସୀଙ୍କ ସର୍ବାଙ୍ଗୀଣ ବିକାଶ ପ୍ରତି ତାଙ୍କ ସରକାର ସର୍ବଦା ଧ୍ୟାନ ଦେଇ ଆସୁଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଦିବାସୀ ପିଲାମାନଙ୍କୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ମାଗଣା ପାଠ ପଢ଼ାଯାଉଛି । ସମସ୍ତ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯାଉଛି । ଜଙ୍ଗଲ ଅଧିକାର ଆଇନ-୨୦୦୬ରେ ଥିବା ବ୍ୟବସ୍ଥାବଳୀକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ୪.୧୫ ଲକ୍ଷରୁ ଅଧିକ ଜନଜାତି ହିତାଧିକାରୀଙ୍କୁ ୬.୧୪ ଲକ୍ଷ ଏକର ପରିମିତ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ କରାଯାଇଥିବାବେଳେ ୬୩୩୬ ଜଣଙ୍କୁ ୩.୨୮ ଲକ୍ଷ ଏକର ଜମିର ଗୋଷ୍ଠୀ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ କରାଯାଇଛିି । ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ନିର୍ବାହ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି । ବୈଠକରେ ଆଦିବାସୀ ଉପଦେଷ୍ଟା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ କଂଗ୍ରେସରୁ ୪ ଜଣ ସଦସ୍ୟ ରହିଛନ୍ତି । ବିଜେପିର କାହାରିକୁ ସେଥିରେ ସାମିଲ କରାଯାଇନଥିବାରୁ ବିରୋଧୀ ବିଧାୟକମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ନିୟମ ଅନୁସାରେ ଏହି ପରିଷଦର ଅଧ୍ୟକ୍ଷ ଜଣେ ଆଦିବାସୀ ଜନ ପ୍ରତିନିଧି ରହିବା କଥା । ମାତ୍ର ମୁଖ୍ୟମନ୍ତ୍ରୀ ନିଜେ ଅଣଆଦିବାସୀ ହୋଇଥିବା କାରଣରୁ କିଭଳି ଏହାର ଅଧ୍ୟକ୍ଷ ରହିପାରିବେ ବୋଲି ବିରୋଧୀ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଆଦିବାସୀଙ୍କ ପ୍ରତି ଅବହେଳା କରୁଥିବାବେଳେ ନିର୍ବାଚନ ପୂର୍ବରୁ କେବଳ ଭେଳିକି ଦେଖାଇବାକୁ ଯୋଜନା ଘୋଷଣା କରୁଛନ୍ତି । ଆଦିବାସୀଙ୍କ ପାଇଁ ଯୋଜନାକୁ ଠିକ୍ ଭାବେ ଲାଗୁ କରିବା ନେଇ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଉକ୍ତ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ, ନବୀନ ପଟ୍ଟନାୟକ ସରକାର ଅମଳରେ ଆଦିବାସୀ ଉନ୍ନୟନ ନେଇ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ବର୍ଗର ଲୋକମାନଙ୍କୁ ଜମିପଟ୍ଟା ବଣ୍ଟନ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବା ନେଇ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗରୁ ଆଦିବାସୀ ଲୋକେ ଜମି ବନ୍ଧା ପକାଇ ଋଣ ପାଉନଥିବା ବେଳେ ସେଦିଗରେ ଆଇନରେ ସୁଧାର ଅଣାଯାଇଛି । ଏଣିକି ନିୟମିତ ଭାବରେ ଆଦିବାସୀ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।


