ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଓକିଲ ଆନ୍ଦୋଳନର ନଭେମ୍ବର ୨ତାରିଖ ସୁଦ୍ଧା ସମାଧାନ ନହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ମୁଖପାତ୍ର ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଓଡିଶାରେ ଓକିଲମାନଙ୍କର ଆନ୍ଦୋଳନ ଦୁଇ ମାସ ଧରି ଚାଲିବା ଫଳରେ ରାଜ୍ୟବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଛୋଟ ଛୋଟ କେସରେ ଗିରଫ ହୋଇଥିବା ଲୋକମାନେ ଏଥିପାଇଁ ଜେଲ୍ରେ ସଢୁଛନ୍ତିି । ରାଜ୍ୟରେ ବିଚାର ବିଭାଗ ଅଚଳ ଏବଂ ସ୍ଥାଣୁ ହୋଇଯାଇଛି । ରାଜ୍ୟରେ ବିଚାର ବିଭାଗର ଏହି ଅବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଯିଏକି ଘରୋଇ ବିଭାଗର ଦାୟିତ୍ୱରେ ଅଛନ୍ତି ସିଏ ମୁଖ୍ୟତଃ ଦାୟୀ । ଏହା ଶାସକ ଦଳର ନିକମା ପଣିଆ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ହାଇକୋର୍ଟ ଭିତରେ ଏକ ନିନ୍ଦନୀୟ ଘଟଣା ଘଟିଛି ।
ଆଜି ହାଇକୋର୍ଟ ଭିତରକୁ ପୁଲିସ ବାହିନୀ ପ୍ରବେଶ କରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟର ଓକିଲ ସମାଜକୁ ରାଜନୈତିକ ବିଚ୍ଛେଦ ଭିତରକୁ ଶାସକ ଦଳ ଟାଣିବା ଅତ୍ୟନ୍ତ ନିନ୍ଦନୀୟ । ବିଜୁ ଜନତା ଦଳର ଲିଗାଲ୍ ସେଲ୍ ଅତ୍ୟନ୍ତ ଅପରିପକ୍ୱ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ସେମାନେ ବିଚାର ବ୍ୟବସ୍ଥାର ଏହି ଅଚଳାବସ୍ଥାକୁ ସୁଧାର ଆଣିବାକୁ ପ୍ରଚେଷ୍ଟା କରିପାରି ଥାଆନ୍ତେ । ମାତ୍ର ତାହା ନକରି ସେମାନେ ଆନ୍ଦୋଳନକୁ ଭିନ୍ନ ମୋଡ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବାହିନୀପତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ବିଭୁପ୍ରସାଦ ତରାଇ, ସୁଦର୍ଶନ ଦାସ, ହିମାଂଶୁ ଲେଙ୍କା, ମନୋଜ ମହାପାତ୍ର, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


