ଭୁବନେଶ୍ୱର : ଚିଲିକା ଡଙ୍ଗାବୁଡ଼ି ଘଟଣାରେ ମୋଟ ୬ଜଣ ପ୍ରାଣ ହରାଇଛନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଡଙ୍ଗାରେ ଆବଶ୍ୟକ ସୁରକ୍ଷା ଓ ଜୀବନରକ୍ଷକ ଉପକରଣ ନଥିବାରୁ ଡଙ୍ଗା ମାଲିକ ବସନ୍ତ ବେହେରାଙ୍କୁ ପୁଲିସ୍ ଗିରଫ କରିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିବା ସହ ସେମାନଙ୍କର ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି । ଏହା ସହିତ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମା’ କାଳିଜାଈ ଦର୍ଶନ ସାରି ଫେରୁଥିବାବେଳେ ଅଚାନକ ପାଗ ଖରାପ ହେବାରୁ ଚିଲିକା ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ଭୁବନେଶ୍ୱର ଓ ନୟାଗଡ଼ ଅଂଚଳର ମୋଟ ୧୫ଜଣ ଯାତ୍ରୀ ଓ ୨ଜଣ ନାଉଁରିଆ ଥିଲେ । ମୋଟ ୧୭ଜଣଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ଆଉ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।


