ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି କରୁଥିବା ରାଜ୍ୟ କଂଗ୍ରେସ ଜୁଲାଇ ୧୫ ତାରିଖ ସୁଦ୍ଧା ନିଜର ନୂଆ ଟିମ୍ ଘୋଷଣା କରିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଜୁଲାଇ ୧୫ତାରିଖ ସୁଦ୍ଧା ପିସିସି ରାଜ୍ୟ କମିଟି, ଜିଲ୍ଲା କମିଟି, ଜୋନାଲ କମିଟି, ବୁଥ୍ କମିଟି ଗଠନ କରାଯିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କମିଟିଗୁଡ଼ିକ ନିଶ୍ଚିତ ଭାବେ ଗଠନ ହେବ । କମିଟିରେ କେବଳ ତାଙ୍କ ସମର୍ଥକମାନେ ସ୍ଥାନ ପାଇବେ କି ବୋଲି ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସର ସମସ୍ତ କର୍ମୀ ଓ ନେତା ହେଉଛନ୍ତି ତାଙ୍କ ଲୋକ । ତେଣୁ ‘ମୋ ଲୋକ’ ଓ ‘ତାଙ୍କ ଲୋକ’ ବୋଲି କିଛି ନାହିଁ । ଓଡ଼ିଶାର ବିକାଶ ପାଇଁ ଯେକୌଣସି ବର୍ଗର ଲୋକ କଂଗ୍ରେସରେ ମିଶିବା ପାଇଁ ଇଚ୍ଛା କରିବେ ତାଙ୍କୁ ଦଳରେ ସ୍ୱାଗତ କରାଯିବ । ଏହା ସହିତ ଅଗଷ୍ଟ ମାସରେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପ୍ରତିଶ୍ରୁତିରେ କଂଗ୍ରେସ କାଏମ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଜୁନ୍ ୧୦ ତାରିଖରେ ଦଳର ୨୨ଟି ସାଂଗଠନିକ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ଦେଇଥିଲେ ।


