ଭୁବନେଶ୍ୱର:ଅଗ୍ନିଶମ ବାହିନୀର ଫାୟାର ମ୍ୟାନ୍ ଓ ଡ୍ରାଇଭରମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।ସେମାନେ ପୂର୍ବଭଳି କାର୍ଯ୍ୟରେ ଯୋଗ ଦେଇଛନ୍ତି।ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ଅକ୍ଷୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଫାୟାର ମ୍ୟାନ୍ ଓ ଡ୍ରାଇଭରମାନେ ୬ଦଫା ଦାବିରେ ଗତ ୨୪ତାରିଖରୁ ଆନ୍ଦୋଳନ କରୁଥିଲେ।ସେମାନଙ୍କର ଦାବି ଯୁକ୍ତିଯୁକ୍ତ ଓ ଏହା ଏବେ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି।ସେଗୁଡ଼ିକୁ ପୂରଣ ପାଇଁ ସରକାର ପଦକ୍ଷେପ ନେବେ।ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।ସୂଚନାଯୋଗ୍ୟ, ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାଜ୍ୟ ପୁଲିସ ଭଳି ଦରମା ଓ ଭତା ସମେତ ୮ଘଂଟା ଡ୍ୟୁଟି, ଖାଲି ପଡ଼ିଥିବା ପଦବୀ ପୂରଣ, ଠିକା ନିଯୁକ୍ତିକୁ ଉଚ୍ଛେଦ, ଅଗ୍ନିଶମ କର୍ମଚାରୀ ସଂଘକୁ ମାନ୍ୟତା ଆଦି ଦାବିରେ ୨୪ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ।


