ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ଭୋଟ୍ ଏକସଙ୍ଗେ କରିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିବା ସହ
ଜୁଲାଇ ୭-୮ ତାରିଖରେ ଜାତୀୟ ଲ’ କମିଶନ ଅଧ୍ୟକ୍ଷ ଡାକିଥିବା ବୈଠକକୁ ବିଜେଡି ନିଜର ପ୍ରତିନିଧି ପଠାଇବ ବୋଲି ଜଣାପଡ଼ିଛି । ଏକାଠି ନିର୍ବାଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବର ମାସରେ ପ୍ରସ୍ତାବ ଦେଇଥିଲେ ।
ଏକାଠି ନିର୍ବାଚନ କରିବା ପ୍ରସଙ୍ଗରେ ଜାତୀୟ ଲ’ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ବିଏସ୍ ଚୌହାନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖି ମତାମତ ଜଣାଇବାକୁ ଅନୁରୋଧ କରିଛନ୍ତି । ଏହି ଚିଠି ଉପରେ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଏକାଠି ନିର୍ବାଚନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଅପିଲ୍କୁ ବିଜେଡି ସମର୍ଥନ କରୁଛି । ଏହା ଦ୍ୱାରା ଦେଶସେବା ଠିକ୍ ଭାବେ ହୋଇପାରିବ । ଗଣତନ୍ତ୍ରରେ ନିର୍ବାଚନ ଅତ୍ୟନ୍ତ ଜରୁରୀ । ଲୋକଙ୍କ ପାଇଁ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ । ବର୍ଷତମାମ ନିର୍ବାଚନ ଦ୍ୱାରା ଲୋକଙ୍କ ପାଇଁ କାର୍ଯ୍ୟ କରିବାରେ ବ୍ୟାଘାତ ସୃଷ୍ଟି ହେଉଛି । ଉଲ୍ଲେଖଯୋଗ୍ୟ, ଲ’ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଚୌହାନ୍ ଚିଠି ଲେଖିଥିଲେ ଯେ, ପ୍ରଧାନମନ୍ତ୍ରୀ ୨୦୧୭ ନଭେମ୍ବର ୨୫-୨୬ତାରିଖରେ ସମଗ୍ର ଦେଶରେ ଏକାଠି ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୮ ଏପ୍ରିଲ ୧୬ତାରିଖରେ ଏହି ପ୍ରସ୍ତାବ ଉପରେ ଅଧିକ ତର୍ଜମା କରି ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ ପାଇଁ ଲ’ କମିଶନଙ୍କୁ ଆଇନ ମନ୍ତ୍ରଣାଳୟ କହିଥିଲା । ଲ’ କମିଶନ ଏହି ପ୍ରସଙ୍ଗରେ ସାଧାରଣ ଲୋକ ଓ ରାଜନୀତିକ ଦଳଙ୍କ ମତାମତ ଲୋଡ଼ିବାକୁ ନିଷ୍ପତି ନେଇଛନ୍ତି । ଏହି କ୍ରମରେ ଜୁଲାଇ ୭ ଓ ୮ତାରିଖରେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେବାକୁ ବିଜେଡି ସଭାପତିଙ୍କୁ କମିଶନ ଅଧ୍ୟକ୍ଷ ଅନୁରୋଧ କରିଛନ୍ତି । ଏହି ଆଲୋଚନାରେ ନିଜେ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଦଳର କୌଣସି ପ୍ରତିନିଧିଙ୍କୁ ପଠାଇବାକୁ କମିଶନ କହିଛନ୍ତି । ପ୍ରସଙ୍ଗର ଗୁରୁତ୍ୱକୁ ବୁଝି ଯଥାଶ୍ରୀଘ ନିଜର ସମ୍ମତି ଜଣାଇଲେ ଆଲୋଚନାର ବିସ୍ତୃତ କାର୍ଯ୍ୟସୂଚୀ ପଠାଇ ଦିଆଯିବ ବୋଲି ଲ’ କମିଶନ ଅଧ୍ୟକ୍ଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ବିଜେଡି ସାଂସଦ ପିନାକୀ ମିଶ୍ର ଦଳର ସଭାପତିଙ୍କ ପ୍ରତିନିଧି ଭାବେ କମିଶନ ଅଧ୍ୟକ୍ଷଙ୍କୁ ଭେଟି ମତାମତ ରଖିବେ ବୋଲି ଜଣାପଡ଼ିଛି ।


