ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ରାଜଭବନ ପକ୍ଷରୁ ଷ୍ଟାଣ୍ଡାର୍ଡ଼ ଅପରେସନ ପ୍ରୋସିଜ୍ୟୁର ଜାରୀ କରାଯାଇଛି ।
କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର ଧାର୍ଯ୍ୟ ତାରିଖର ଅଂତତଃ ୨୦ ଦିନ ପୂର୍ବରୁ ପହଂଚିବା ଦରକାର । ସମସ୍ତ ଅନୁରୋଧ ପତ୍ରକୁ ଯାଂଚ କରାଯିବ ଏବଂ ଉପଯୁକ୍ତ ବିବେଚିତ ଅନୁରୋଧଗୁଡ଼ିକୁ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ। ଅନୁମୋଦିତ କାର୍ଯ୍ୟକ୍ରମ ସଂପର୍କରେ ଯାଂଚ / ଯଥାର୍ଥତା ସମ୍ବନ୍ଧରେ ତଥ୍ୟ ଦେବାଲାଗି ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ନିକଟକୁ ପ୍ରେରଣ କରାଯିବ ।
ସଂପୃକ୍ତ ଜିଲାପାଳ / ଆରକ୍ଷୀ ଅଧୀକ୍ଷକ/ ଡ଼gସିପି. ଅନୁରୋଧ କରିଥିବା ଅନୁଷ୍ଠାନ/ ସଂସ୍ଥା ବିଷୟରେ ଯାଂଚ ବିବରଣୀ ସହିତ କାର୍ଯ୍ୟକ୍ରମ ସ୍ଥାନର ଉପଯୁକ୍ତତା ତଥା ରାଜ୍ୟପାଳଙ୍କ ଯୋଗଦାନର ଯଥାଯଥତା ସଂପର୍କରେ ରିପୋର୍ଟ ରାଜଭବନକୁ ପତ୍ର ପାଇବାର ୩ ଦିନ ମଧ୍ୟରେ ପ୍ରଦାନ କରିବେ । ଏହି ଅଧାରରେ ରାଜ୍ୟପାଳଙ୍କ ସମ୍ନତି ପାଇଁ ଉପସ୍ଥାପନ କରାଯିବ । ରାଜ୍ୟପାଳଙ୍କ ସମ୍ନତି ମିଳିଲେ, ସଂପୃକ୍ତ ଅନୁଷ୍ଠାନକୁ ଜଣାଇଦିଆଯିବା ସହ ମିନିଟ୍-ଟୁ-ମିନିଟ୍ କାର୍ଯ୍ୟସୂଚୀ, ଡ଼ାଏସ୍ ପ୍ଲାନ୍ ଓ କାର୍ଯ୍ୟକ୍ରମର ପଟ୍ଟଭୂମି ଟିପ୍ପଣି ରାଜଭବନକୁ ପଠାଇବାକୁ ଅନୁରୋଧ କରାଯିବ ଏବଂ ଏହାକୁ ପାଇଲା ପରେ ପୁନଶ୍ଚ ରାଜ୍ୟପାଳଙ୍କ ଅନୁମୋଦନ ଲୋଡ଼ାଯିବ।କାର୍ଯ୍ୟକ୍ରମର ଅଂତତଃ ୫ ଦିନ ପୂର୍ବରୁ ସଂପୃକ୍ତ ଅନୁଷ୍ଠାନକୁ ଅନୁମୋଦିତ ମିନିଟ୍-ଟୁ-ମିନିଟ୍ କାର୍ଯ୍ୟସୂଚୀ ଓ ଡ଼ାଏସ୍ ପ୍ଲାନ୍ ଦିଆଯିବ ଏବଂ ପ୍ରୋଟୋକଲ ମୁତାବକ ସଂପୃକ୍ତ ସମସ୍ତଙ୍କୁ ତଥା କାର୍ଯ୍ୟକ୍ରମ ସ୍ଥଳୀରେ ଓ ରାଜ୍ୟପାଳଙ୍କ ଯିବା ରାସ୍ତାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହା ପ୍ରେରଣ କରାଯିବ । ଅନୁମୋଦିତ କାର୍ଯ୍ୟସୂଚୀରେ କୌଣସି ବ୍ୟତିକ୍ରମକୁ ଗ୍ରହଣ କରାଯିବ ନାହିଁ । ନିହାତି ଆବଶ୍ୟକ ସ୍ଥଳେ ରାଜଭବନର ପୂର୍ବ ଅନୁମୋଦନ ଏକାନ୍ତ ଜରୁରୀ । କାର୍ଯ୍ୟକ୍ରମ ସ୍ଥାନକୁ ଜିଲ୍ଲା ପୁଲିସ କର୍ତ୍ତୃପକ୍ଷ/ କମିଶନରେଟ୍ ପୁଲିସ/ ରାଜଭବନର ନିରାପତ୍ତା ବିଭାଗ ଯାଂଚ କରିବେ।
ଅନୁମୋଦିତ କାର୍ଯ୍ୟସୂଚୀ ମୁତାବକ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ପାଇଁ ଏଡ଼ିସି ଓ ରାଜଭବନର ମୁଖ୍ୟ ନିରାପତ୍ତା ଅଧିକାରୀକୁ ଦାୟିତ୍ୱ ଦିଆଯାଇଛି ବୋଲି ରାଜଭବନ ପକ୍ଷରୁ ପ୍ରକାଶ ପାଇଛି ।


