ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲା ବିଜେପିରେ ବିଦ୍ରୋହ। ଦଳରେ ନୂଆ-ପୁରୁଣାଙ୍କୁ ନେଇ ଚାଲିଥିବା ଛକାପଞ୍ଝା ଏବେ ଉଗ୍ରରୂପ ନେଇଛି। ଦଳର ପୁରୁଣା ସଂଗଠକ ଓ କର୍ମୀମାନେ ଏବେ ଖୋଲାଖୋଲି ଭାବେ ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ସ୍ୱର ଉତୋଳନ କରିଛନ୍ତି। ତେବେ ସେମାନଙ୍କୁ ଦଳୀୟ ଶୃଙ୍ଖଳା ମଧ୍ୟରେ ନରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ପଡ଼ିଲେ ବାହାରର ରାସ୍ତା ଦେଖାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନା ଅନୁସାରେ ଗୌତମ ରାୟ, ବିଶ୍ୱରଞ୍ଜନ ମଲ୍ଲିକ ଓ ଅମର ନାୟକଙ୍କ ଭଳି ନେତାମାନେ ଅନ୍ୟଦଳରୁ ଆସି ବିଜେପିରେ ମିଶିବା ପରେ ଏବେ ସେମାନଙ୍କୁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ମିଳୁଛି।ସେମାନେ ମଧ୍ୟ ସାଂଗଠନିକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ କାର୍ଯ୍ୟ କରୁଥିବାବେଳେ ଦଳର ପୁରୁଣା କର୍ମୀ ଓ ନେତାମାନେ ଏହାକୁ ସହ୍ୟ କରିପାରୁନାହାନ୍ତି।
ରବିବାର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ, ଯାଜପୁର ଜିଲ୍ଲା ପାଳକ ସମୀର ଦେ, ଜିଲ୍ଲା ପ୍ରଭାରୀ ବିଷ୍ଣୁ ଦାଶ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟଙ୍କ ସମେତ ଜିଲ୍ଲାର ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହି ଆଗାମୀ ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିଲେ।
ବୈଠକରେ ସଂଗଠନକୁ କିଭଳି ସୁଦୃଢ଼ କରାଯିବ ତା’ଉପରେ ବିଚାରବିମର୍ଶ ହୋଇଥିଲା। ବୈଠକରେ ବଡ଼ଚଣାର ସୀମନ୍ତିନୀ ଜେନା, ଉଦୟନାଥ ସାହୁ ଓ ଅମର ନାୟକଙ୍କ ସମେତ ବରୀର ବିଶ୍ୱରଞ୍ଜନ ମଲ୍ଲିକ, ବିଞ୍ଝାରପୁରର ଅମୀୟ ମଲ୍ଲିକ ଓ ବବିତା ମଲ୍ଲିକ, କୋରେଇ ବିଶ୍ୱଜିତ୍ ନାୟକ ଓ ସଂଚିତା ମହାନ୍ତି, ଧର୍ମଶାଳାର ତୁଷାର ପରିଡ଼ା, ଅପର୍ଣ୍ଣାଧୀର ସାମନ୍ତ, ସର୍ବେଶ୍ୱର ବେହୁରା ପ୍ରମୁଖ ସାମିଲ ହୋଇଥିଲେ।
କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ନେତାମାନେ ବର୍ଜନ କରିବା ସହ ସମାନ୍ତରାଳ ବୈଠକ କରିଥିବା ସୂଚନା ମିଳିଛି । ବଡ଼ଚଣାରେ ପୂର୍ବତନ ଅସନ୍ତୁଷ୍ଟ ଗୋଷ୍ଠୀର ଏକ ସମାନ୍ତରାଳ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଆଦର୍ଶକୁ ପାଥେୟ କରି ସମାନ୍ତରାଳ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ସେମାନେ ସଂକଳ୍ପ ନେବା ସହ କେନ୍ଦ୍ରମନ୍ତ୍ରୀଙ୍କ ଏକତରଫା ନିଷ୍ପତିକୁ ତୀବ୍ର ବିରୋଧ କରିଥିଲେ।
ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ତଥା ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଆଶୁତୋଷ ପରିଡ଼ା, ଜିଲ୍ଲା ମିଡିଆ ସେଲ୍ ସଭାପତି କାହ୍ନୁଚରଣ ଦାଶ, କ୍ଷୀରୋଦ ମହଲା, ଡକ୍ଟର କୈଳାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଜେନା, ମନୋରଞ୍ଜନ ଦାସ ଓ ପ୍ରସନ୍ନ ସାମଲ, ୨୩ଜଣ ପୂର୍ବତନ ମଣ୍ଡଳ ସଭାପତି ଓ ୩ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଏକଜୁଟ ହୋଇଥିବା ଜଣାପଡ଼ିଛି।


