ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’ରୁ ଉତ୍କଳ ଶବ୍ଦ ବାଦ୍ ଦେଇ ‘ଓଡ଼ିଶା’ ସାମିଲ କରାଗଲେ ତାହା ଗ୍ରହଣୀୟ ହୋଇପାରିବ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଏବେ ବିଭିନ୍ନ ରାଜନୀତିକ ଦଳ ଓ ସଂଗଠନ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସିଂ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ବନ୍ଦେ ଉତ୍କଳ ଜନନୀ’ରୁ ଉତ୍କଳ ଶବ୍ଦ ବାଦ୍ ଦେଇ ଓଡ଼ିଶା ସାମିଲ କରାଯିବା ଉଚିତ୍ । ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଯୋଗୁ କିଛି ଲୋକ ‘ଉକ୍ରଳ’ ଶବ୍ଦକୁ ବିରୋଧ କରୁଛନ୍ତି । ତେଣୁ ଓଡ଼ିଶା ଶବ୍ଦ ଅଧିକ ଗ୍ରହଣୀୟ ହୋଇପାରିବ । ମନ୍ତ୍ରୀଙ୍କ ଏହି ପ୍ରସ୍ତାବରୁ ବିଜେଡି ନିଜକୁ ଦୂରେଇ ରଖିଥିବାବେଳେ ବିଜେପି ସମେତ ଆମ ଓଡ଼ିଶା ସଂଗଠନ ଓ ଉକ୍ରଳ ସମ୍ମିଳନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ୍ତ୍ରୀ ନିଜର ମତ ପ୍ରତ୍ୟାହାର କରନ୍ତୁ ଓ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି । ବିଜେପି ମୁଖପାତ୍ର ଗୋଲକ ନାୟକ କହିଛନ୍ତି ଯେ, ରାଜ୍ୟ ସଙ୍ଗୀତକୁ କେନ୍ଦ୍ର ମାନ୍ୟତା ଦେବାରେ କୌଣସି ନିୟମ ନଥିବାରୁ ସେତେବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ ହୋଇଥିଲା । ରାଜ୍ୟ ସଙ୍ଗୀତକୁ ରାଜ୍ୟ ସରକାର ମାନ୍ୟତା ଦେବାରେ ଅସୁବିଧା କେଉଁଠିି । ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଏହା ମନ୍ତ୍ରୀଙ୍କ ବ୍ୟକ୍ତିଗତ ମତ । ଓଡ଼ିଶା ବିଧାନସଭାରେ ଏନେଇ ଆଲୋଚନା ଓ ନିଷ୍ପତ୍ତି ହେବା ପରେ ଏବେ ତା’ର ଆଇନଗତ ଦିଗ ଉପରେ ବିଚାର କରୁଛନ୍ତି । ଗଣତନ୍ତ୍ରରେ ସମସ୍ତେ ମତ ଦେବାର ଅଧିକାର ରହିଛି । ମନ୍ତ୍ରୀ ଯାହା ମତ ଦେଇଛନ୍ତି ତାହା ତାଙ୍କର ନିଜସ୍ୱ । ତେଣୁ ଏହା ଉପରେ ସେ ଅଧିକ କିଛି କହିବାକୁ ଚାହୁଁନାହାନ୍ତି ।


