ମୁମ୍ବାଇ: ଆଶା ଥିଲା ବେଲ ମିଳିଯିବ। କିନ୍ତୁ ମିଳିଲାନି ବେଲ, ଫଳରେ ବଲିଉଡ଼ର କିଙ୍ଗ ଖାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜେଲ ଯିବାକୁ ପଡ଼ିଛି। କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ରହିଥିଲେ ଆର୍ଯ୍ୟନ। ଆଜି ତାଙ୍କ ବେଲ ଆବେଦନ ଉପରେ ଶୁଣାଣି ରହିଥିଲା। ତେବେ ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଓ ଅନ୍ୟ ଅଭିଯୁକ୍ତଙ୍କ ବେଲ ମଧ୍ୟ ଖାରଜ ହୋଇ ଯାଇଥିବା ଜଣାପଡ଼ିଛି। ଆର୍ଯ୍ୟନ୍ ଖାନ୍, ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍ମୁନ୍ ଧମେଚାଙ୍କ ଜାମିନ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି ମାନ୍ୟବର କୋର୍ଟ କହିଛନ୍ତି।
ସେପଟେ ସେସନ କୋର୍ଟରେ ଜାମିନ ଆବେଦନ କରିବେ ବୋଲି ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି। ତେବେ ଆଜି ଶୁଣାଣି ସମୟରେ ସତୀଶ ମାନସିନ୍ଦେ କହିଥିଲେ କି ଜାମିନ ପ୍ରଦାନ କରିବାରେ ମାଜିଷ୍ଟ୍ରେଟଙ୍କ କ୍ଷମତା ରହିଛି। ଯଦି କୋର୍ଟର ରିମାଣ୍ଡରେ ନେବାକୁ କ୍ଷମତା ଅଛି, ତେବେ ଜାମିନ ପ୍ରଦାନ କରିବାର କ୍ଷମତା ମଧ୍ୟ କୋର୍ଟର ଅଧିନରେ ରହିଛି ବୋଲି ମାନସିନ୍ଦେ ଯୁକ୍ତି ବାଢିଥିଲେ।
ତାଙ୍କ କହିବା ମୁତାବକ, ଆର୍ଯ୍ୟନ ଖାନ୍ଙ୍କ ବିରୋଧରେ ଅଭିଯୋଗ ରହିଛି କିନ୍ତୁ ତାଙ୍କ ବିରୋଧରେ ଏଯାଏଁ କିଛି ମିଳିନାହିଁ। ଏନ୍ସିବି ଆର୍ଯ୍ୟନଙ୍କୁ ୫ ଦିନ ରିମାଣ୍ଡରେ ରଖିଲା କିନ୍ତୁ ତାଙ୍କ ବିରୋଧରେ କିଛି ବି ପ୍ରମାଣ ବାହାର କରିପାରିଲା ନାହିଁ। ଆର୍ଯ୍ୟନ ଏକ ସଭ୍ୟ ପରିବାରର ପୁଅ। ତାଙ୍କର ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଭଳି ସ୍ଥିତିରେ ତାଙ୍କୁ ଜେଲ୍ ପଠାଇବା ଠିକ୍ ନୁହେଁ ବୋଲି ମାନସିନ୍ଦେ ଯୁକ୍ତି ଉପସ୍ଥାପନ କରିଥିଲେ।


