ଭୁବନେଶ୍ୱର ଓଡ଼ିଶା ୱେୟାର): ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଆଜି ଗିରଫ କରାଯାଇଛି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୁଶାନ୍ତ ସାହୁ ଗତକାଲି ମୋଟୁରୁ ତାଙ୍କ ଗାଁ ନଖରାକୁ ଯାଉଥିଲେ। ଖୋର୍ଦ୍ଧା ନିକଟରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ଠାରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ତେବେ ସେ ଏହି ଟଙ୍କା କେଉଁଠୁ ଆଣିଲେ ଓ କ’ଣ ପାଇଁ ଏତେ ଟଙ୍କା ଦରକାର ପଡ଼ିଲା, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି।
ଭିଜିଲାନ୍ସ ପକ୍ଷରୁ ଗତକାଲି ତାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ସମୟରେ ନିକଟରେ ସେ ତାଙ୍କ ପତ୍ନୀଙ୍କ ନାଁରେ ନଖରାରେ କିଣିଥିବା ଏକ ପ୍ଲଟର କାଗଜପତ୍ର ମିଳିଥିଲା। ଏହି ପ୍ଲଟକୁ ସେ ୨୪ ଲକ୍ଷ ୯୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।


