ଭୁବନେଶ୍ୱର(ଓଡ଼ିଶା ୱେୟାର): ପଡ଼ୋଶୀ ରାଜ୍ୟ ଗୁଡ଼ିକରେ କୃଷିଋଣ ଛାଡ଼ ଓ ଏମଏସପି ଉପରେ ବୋନସ ପ୍ରଦାନକୁ ନେଇ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଓଡ଼ିଶା ସରକାର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ଦୀର୍ଘକାଳୀନ ସ୍ଥାୟୀ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ସବୁ ବର୍ଗର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ‘କାଳିଆ’ ଯୋଜନାର ଘୋଷଣା କରିଛନ୍ତି । ରାଜ୍ୟର ୯୨% ଚାଷୀ ଏହି ନୂଆ ଯୋଜନାର ସୁଫଳ ପାଇବେ । ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି ଯେ, ରାଜ୍ୟରେ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି । ସେମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ରାଜ୍ୟ କ୍ୟାବିନେଟ୍ ଆଜି ସେମାନଙ୍କ ପାଇଁ କୃଷକ ଆସିଷ୍ଟାନସ୍ ଫର ଲାଇଭଲିହୁଡସ ଆଣ୍ଡ ଇନକମ୍ ଅଗମେଂଟେସନ (କାଳିଆ) ସ୍କିମ୍ ଘୋଷଣା କରିଛନ୍ତି । ଏହି ସ୍କିମରେ ୫ଟି କାର୍ଯ୍ୟକ୍ରମ କରାଯିବ ।
୧-କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବାର୍ଷିକ ମୋଟ ୧୦ହଜାର ଟଙ୍କା ସହାୟତା ଦିଆଯିବ । ରବି ଓ ଖରିଫ ଋତୁରେ ୫ହଜାର ଟଙ୍କା ଲେଖାଏ ସହାୟତା ସେମାନଙ୍କର ବ୍ୟାଙ୍କ ଆକାଂଉଟକୁ ଡିବିଟି ମାଧ୍ୟମରେ ଯୋଗାଇ ଦିଆଯିବ । ବିହନ,ସାର ଓ ଔଷଧ କିଣିବା ପାଇଁ ଏହାକୁ ଚାଷୀ ବ୍ୟବହାର କରିପାରିବ । ଏଥିରେ ପ୍ରାୟ ୩୦ଲକ୍ଷ ଚାଷୀ ଉପକୃତ ହେବେ । ଏବାବଦରେ ୩ହଜାର ୧୬କୋଟି ଟଙ୍କା ବ୍ୟୟ ହେବ ।
୨- ସେହିପରି ଜମି ନଥିବା ଭୂମିହୀନ ଗରିବ ଲୋକଙ୍କୁ ମାଛ,ଛେଳି,କୁକୁଡ଼ା, ଘୁଷୁରୀ ପାଳନ ପାଇଁ ବର୍ଷକୁ ୧୨ହଜାର ୫୦୦ଟଙ୍କା ଦିଆଯିବ । ୧୦ଲକ୍ଷ ଭୂମିହୀନ ପରିବାରକୁ ୩ବର୍ଷ ପାଇଁ ଏହି ଅର୍ଥ ଦିଆଯିବ । ଏ ବାବଦରେ ଆସନ୍ତା ୩ବର୍ଷ ମଧ୍ୟରେ ୧୨୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।
୩-ରୋଗଗ୍ରସ୍ତ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ସହାୟତା ଦିଆଯିବ । ସେମାନେ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇନଥିବାରୁ ସେମାନଙ୍କ ଜୀବିକା ନିର୍ବାହ ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯିବ । ସମଗ୍ର ରାଜ୍ୟରେ ୧୦ଲକ୍ଷ ପରିବାର ପାଇଁ ଏହି ଯୋଜନାରେ ୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
୪- ଚାଷୀ ଓ ଭୂମିହୀନ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିବ ।
୫- ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ନିଆଯିବ ନାହିଁ ।
ଆସନ୍ତା ୩ବର୍ଷ ମଧ୍ୟରେ (୨୦୨୦-୨୧) ପର୍ଯ୍ୟନ୍ତ ମୋଟ ୧୦,୨୮୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ସମସ୍ତ ଯୋଜନାର ଫାଇଦା ଯେଭଳି ଚାଷୀମାନେ ନେଇପାରିବେ ସେଥିପାଇଁ ପଂଚାୟତସ୍ତରରେ ଚାଷୀ ଚିହ୍ନଟ ହେବେ । ପ୍ରକୃତ ଚାଷୀଙ୍କୁ ହିଁ ଏସବୁ ସୁବିଧା ମିଳିବ । ୫ଟି କୃଷି ସିଜନ୍ ପାଇଁ ଲାଗୁ ହେବ । ଅର୍ଥାତ୍ ୨୦୧୮-୧୯ରୁ ୨୦୨୦-୨୧ ମସିହା ପର୍ଯ୍ୟନ୍ତ ଏହା ଲାଗୁ ହେବ । ଏହି ଯୋଜନାରେ ରାଜ୍ୟର ୯୨% ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।



