ଭୁବନେଶ୍ୱର : ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ଓ ହାଇସ୍କୁଲର ରକ୍ଷଣାବେକ୍ଷଣ ଓ ମରାମତି ଏଣିକି ପଂଚାୟତ ଓ ପୌର ସଂସ୍ଥା କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ଗ୍ରାମାଂଚଳରେ ଥିବାସ ମସ୍ତ ସରକାରୀ ସ୍କୁଲର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଗ୍ରାମପଂଚାୟତ ମାଧ୍ୟମରେ ପଂଚାୟତିରାଜ ବିଭାଗ କରିବ । ସେହିପରି ସହରାଂଚଳରେ ଥିବା ସରକାରୀ ସ୍କୁଲଗୁଡ଼ିକର ମରାମତି କାର୍ଯ୍ୟ ପୌର ସଂସ୍ଥା ମାଧ୍ୟମରେ ନଗର ଉନ୍ନୟନ ବିଭାଗ କରିବ । ପୌର ସଂସ୍ଥାଗୁଡ଼ିକ ନିକଟରେ ପାଣ୍ଠିର ଅଭାବ ହେଲେ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିପାରିବ । ଏବେ ଗ୍ରାମାଂଚଳର ଅଧିକାଂଶ ମାଧ୍ୟମିକ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ ରହିଛି । ବାକି ଥିବା ସମସ୍ତ ହାଇସ୍କୁଲ ଓ ସମସ୍ତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଣିକି ଗ୍ରାମାଚଂଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସହରାଂଚଳରେ ପୂର୍ତି ବିଭାଗକୁ ଦେବା ପାଇଁ ନିଷ୍ପତି ହୋଇଛି । କୌଣସି ନୂଆ ସ୍କୁଲ ବିଲିଡିଂ ନିର୍ମାଣ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କିମ୍ବା ଓପେପାରୁ ମିଳୁଥିବା ଅର୍ଥକୁ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ବିଭାଗକୁ ଦେବା ପାଇଁ ନିଷ୍ପତି ହୋଇଛି ।


