ସୁରତ: ଆଜି ଗୁଜରାଟର ସୁରତ କୋର୍ଟରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଧାରଣ ନିର୍ବାଚନ ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଆଜି ସୁରତର ଏକ କୋର୍ଟରେ ହାଜର ହୋଇ ପକ୍ଷ ରଖିବେ। ସେ କହିଥିଲେ କାହିଁକି ସମସ୍ତ ଚୋରଙ୍କ ନାଁରେ ମୋଦି ଲାଗିଛି। ଏହାକୁ ନେଇ ସୁରତ-ପଶ୍ଚିମର ବିଧାୟକ ପୂର୍ଣ୍ଣେଶ ମୋଦି କୋର୍ଟରେ ମାନହାନୀ ମୋକଦ୍ଦମା ମାମଲା ଦାୟର କରିଥିଲେ।
ରାହୁଲ ଗାନ୍ଧୀ ସୁରତ କୋର୍ଟରେ ହାଜର ହେବା ନେଇ ସୁନିଶ୍ଚିତ କରିଛନ୍ତି ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମିତ ଚାଭଡା। ସେ କହିଛନ୍ତି ରାହୁଲ ଗୁରୁବାର ସୁରତ ଆସିବେ। ସକାଳ ପ୍ରାୟ ୧୦ ଟାରେ ସୁରତରେ ପହଞ୍ଚିବେ। ଏହାପରେ କୋର୍ଟ କାମ ସରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ ରୁ ୧୨:୩୦ ମଧ୍ୟରେ ସେ ଦିଲ୍ଲୀ ଫେରିଯିବେ। ଏହି ସମୟରେ କୌଣସି ରାଜନୀତିକ ବୈଠକ କି ସମାବେଶ ହେବ ନାହିଁ ବୋଲି ଚାଭଡା କହିଛନ୍ତି।


