ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆମୋଡ଼ ଆସିଛି । ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଆଜି ଜିଲ୍ଲା ପ୍ରଶାସନର ରେକର୍ଡ ରୁମରେ ଥିବା ଏକ ଲକରରୁ ମିଳିଛି । ଏକ ଲଫାଫା ଭିତରେ ଏହି ଚାବି ଥିଲା ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଜି ସନ୍ଧ୍ୟାରେ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ଟ୍ରେଜେରୀରେ ରହୁଥିବା ରତ୍ନଭଣ୍ଡାର ଚାବି କିଭଳି ଭାବେ ରେକର୍ଡ ରୁମକୁ ଗଲା ବୋଲି ଏବେ ପ୍ରଶ୍ନ ଉଠିବା ସହ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଭିତର ରତ୍ନଭଣ୍ଡାରର ଚାବି ଜିଲ୍ଲା ଟେଜେରୀରେ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ । କିନ୍ତୁ ଆଜି ରେକର୍ଡ ରୁମରୁ ଚାବି ମିଳିଛି ବୋଲି ସେ କହିଛନ୍ତି । ୪ଜଣିଆ ଟିମ୍ ୫ଦିନ ଧରି ଖୋଜାଖୋଜି କରିବା ପରେ ଏହି ଚାବି ମିଳିଛି । ଏହି ଚାବି ଡୁପ୍ଲିକେଟ୍ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ତୁରନ୍ତ ଅବଗତ କରାଯାଇଛି ବୋଲି ଜିଳ୍ଲାପାଳ ଶ୍ରୀ ଅଗ୍ରୱାଲ କହିଛନ୍ତି । ସୂଚନାଯୋଗ୍ୟ ଜୁନ୍ ୨୪ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାବି ଖୋଜିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା । ଚାବି ହଜିବା ଘଟଣାକୁ ନେଇ ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଇତିମଧ୍ୟରେ ଚାବି ହଜିବା ଘଟଣା ଓ ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟିକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ପ୍ରଦୀପ କୁମାର ଜେନାଙ୍କୁ ସରକାର ହଟାଇ ତାଙ୍କ ସ୍ଥାନରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପାଖରୁ ଚାବି ମିଳିଥିବାବେଳେ ପୂର୍ବରୁ କେଉଁ ଉଦ୍ଦେଶ୍ୟ ରଖି ଜିଳ୍ଲାପାଳ ଚାବି ନାହିଁ ବୋଲି କହିଥିଲେ ତାହା ତାଙ୍କର ଭୂମିକାକୁ ସନ୍ଦେହଘେରକୁ ଠେଲିଦେଇଛି । ଶ୍ରୀମନ୍ଦିର ଆଇନର ପ୍ରାବଧାନ ଅନୁସାରେ ରତ୍ନଭଣ୍ଡାରର ଚାବି ଗଜପତି ମହାରାଜ, ଭିତର ମେକାପ ଓ ଜିଲ୍ଲା ପ୍ରଶାସନ ପାଖରେ ରହିଥାଏ । କିନ୍ତୁ ଜିଲ୍ଲା ପ୍ରଶାସନ ମୁଖ୍ୟଙ୍କ ବିରୋଧରେ ଏନେଇ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରୁ ଶ୍ରୀ ଜେନାଙ୍କୁ ହଟାଇ ଦିଆଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।


