ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ବିଧାନସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ନିଜର ବାଜିମାତକୁ ନେଇ ଦାବି କରିଆସୁଛନ୍ତି। ତେବେ ନିର୍ବାଚନକୁ ଯଥେଷ୍ଟ ସମୟ ରହିଥିବା ବେଳେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଛି। ରାଜ୍ୟ ରାଜନୀତିରେ ‘ଅବ୍ବାଜାନ’ ରାଜନୀତିକୁ ଉଷ୍ମ କରିଥିବା ବେଳେ ଏବେ ‘ଚାଚାଜାନ’ ମଧ୍ୟ ଏହି ନିଆଁରେ ଘିଅ ଢାଳିଛି।
କୃଷକ ନେତା ରାକେଶ ଟିକାୟତ ହାପୁରରେ ଏକ ରାଲିରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସିଙ୍କୁ ବିଜେପିର ‘ଚାଚାଜାନ’ ବୋଲି କହି ଉତ୍ତରପ୍ରଦେଶର ରାଜନୀତିକୁ ଉଷ୍ମ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ରାକେଶ ଟିକାୟତ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପିର ଚାଚାଜାନ ହେଉଛନ୍ତି ଓଓ୍ୱେସି ଓ ସେ ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ପ୍ରବେଶ କରିସାରିଛନ୍ତି। ରାକେଶ ଟିକାୟତ କହିଛନ୍ତି ଯେ ଯଦି ଅସଦୁଦ୍ଦିନ ଓଓ୍ୱେସି ବିଜେପିକୁ ସମାଲୋଚନା କଲେ ତାଙ୍କୁ ଗିରଫ କରାଯାଏ ନାହିଁ। କାରଣ ଓଓ୍ୱେସୀ ଓ ତାଙ୍କ ଦଳ ବିଜେପିର ସଦସ୍ୟ। ଆଜିକାଲି ରାକେଶ ଟିକାୟତ ୟୁପିର ବିଭିନ୍ନ ଅଞ୍ଚଳର କୃଷକମାନଙ୍କୁ କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଛନ୍ତି ଏବଂ ଏଥିପାଇଁ ସେ ହାପୁରରେ ପହଞ୍ଚିଛନ୍ତି।


