ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ସମୀର ଦେଙ୍କୁ ତାଙ୍କ କଟକସ୍ଥିତ ବାସଭବନରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାକ୍ଷାତ କରିବା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି । ଅବଶ୍ୟ ଉଭୟ ବିଜେଡି ଓ କଂଗ୍ରେସ ଏହି ସାକ୍ଷାତକାରକୁ ସେମାନଙ୍କ ବ୍ୟକ୍ତିଗତ କଥା କହି ଏଡ଼ାଇ ଯାଇଛନ୍ତି । କିନ୍ତୁ ଏହା ସତ୍ୱେ ବୈଜୟନ୍ତ ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ବଦଳରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବାର ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତଙ୍କ କଟକମୁହାଁ ହେବାର ସମ୍ଭାବନାକୁ ନେଇ ବିଜେଡି ଓ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।
ବିଜେଡି ମୁଖପାତ୍ର ତଥା କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାହା ଘରକୁ କିଏ ଗଲା, ତାହା ତାଙ୍କର ବ୍ୟକ୍ତିଗତ କଥା । ସେ ବିଷୟରେ କେବଳ ସେହିମାନେ ଉତ୍ତର ଦେଇପାରିବେ । ଏହାଛଡ଼ା କଟକ ହେଉଛି ବିଜେଡିର ଗଡ଼ । ଏଠାରେ କୌଣସି ଦଳ କିମ୍ବା ବ୍ୟକ୍ତିଙ୍କ ପ୍ରଭାବ ଅନୁଭୂତ ହେବ ନାହିଁ । ବୈଜୟନ୍ତ ଛିଡ଼ା ହେଲେ ବି କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି । ସେହିପରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, କିଏ କାହାକୁ ଘରେ ଯାଇ ଭେଟିଲେ, ସେଥିପାଇଁ ବିଜେଡି କାହିଁକି ପ୍ରତିକ୍ରିୟା ଦେବ । ବ୍ୟକ୍ତିଗତସ୍ତରରେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ସେ ନେଇ ମତଦେବା ଠିକ୍ ହେବନି । ବୈଜୟନ୍ତ ସାଂସଦ ଓ ଦଳରୁ ଇସ୍ତଫା ଦେଇସାରିଛନ୍ତି । ସେ ନିଜ ତରଫରୁ ଇସ୍ତଫା ଦେଇଥିବାରୁ ଏନେଇ କିଛି କହିବାର ନାହିଁ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, କୌଣସି ବ୍ୟକ୍ତି ନିଜ ବିଷୟରେ ଯେକୌଣସି ନିଷ୍ପତ୍ତି ନେଇପାରନ୍ତି । କାହା ଘରେ ଯାଇ କିଏ ବସିଲା ସେଥିରେ ବିଶେଷ କାର୍ଯ୍ୟକ୍ରମ ନାହିଁ । ଅପରପକ୍ଷରେ କଂଗ୍ରେସର ବରିଷ୍ଠ ନେତା ତଥା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ କହିଛନ୍ତି ଯେ, ବୈଜୟନ୍ତବାବୁ ଜଣେ ଅଭିଜ୍ଞ ରାଜନୀତିକ ବ୍ୟକ୍ତି । ସେ କାହା ଘରକୁ ଗଲେ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ସେ କେଉଁ ଦଳକୁ ଯିବେ ବା ନିଜେ ଦଳ କରିବେ ନିଷ୍ପତ୍ତି ସେ ନିଜେ ନେବେ । ଗତ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ଥିଲା । କଟକରେ କଂଗ୍ରେସ ଓ ବିଜେଡି ମଧ୍ୟରେ ହିଁ ଲଢ଼େଇ ହୁଏ । ତେଣୁ କଟକରେ ସେ ବିଜେପି ପ୍ରାର୍ଥୀ ହେଲେ ତା’ର ପ୍ରଭାବ କିଛି ପଡ଼ିବ ନାହିଁ । ତେବେ ଏସବୁ ରାଜନୀତିକ ବୟାନବାଜି ମଧ୍ୟରେ ବିଜେପି ନେତା ସମୀର ଦେ କହିଛନ୍ତି ଯେ, ଏକ ସାମାଜିକ ଉତ୍ସବରେ ଯୋଗ ଦେବା ପାଇଁ ବୈଜୟନ୍ତ ତାଙ୍କ ଘରକୁ ଆସିଥିଲେ । ବୈଜୟନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି । ସେ ମଧ୍ୟ ତାଙ୍କ ଘରକୁ ଯାଆନ୍ତି । ବୈଜୟନ୍ତ ଜଣେ ଲୋକପ୍ରିୟ ବ୍ୟକ୍ତି । ବୈଜୟନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବାରୁ ଏହାକୁ ନେଇ ରାଜନୀତି କରିବାର କିଛି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଏଯାଏ ବିଜେପିରେ ଯୋଗ ଦେଇନାହାନ୍ତି । ସେ ଦଳକୁ ଆସିଲେ ତାଙ୍କୁ ହୃଦୟର ସହ ସ୍ୱାଗତ କରାଯିବ । ବିଜେପିରେ ମିଶିଲା ପରେ ତାଙ୍କ ପ୍ରାର୍ଥୀତ୍ୱ କଥା ଦଳ ନିଷ୍ପତ୍ତିି ନେବ । ତେଣୁ ତାଙ୍କ ଘରକୁ ବୈଜୟନ୍ତ ଆସିବାକୁ ନେଇ ଅଯଥା ରାଜନୀତି ଠିକ୍ ନୁହେଁ ।


