ଭୁବନେଶ୍ୱର: କେନ୍ଦ୍ର ସରକାର ଚିଲିକା ହ୍ରଦରେ ଓ ଘରୋଇ ବିମାନ କମ୍ପାନୀ ‘ସ୍ପାଇସ୍ ଜେଟ୍’ ରାଜ୍ୟର ୩ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସି-ପ୍ଲେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଇଛନ୍ତି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ କର୍ତୃପକ୍ଷ ଓ ସ୍ପାଇସ୍ ଜେଟର ପ୍ରସ୍ତାବ ପରେ ରାଜ୍ୟ ସରକାର ଏହାର ଫିଜିବିଲିଟି ଷ୍ଟଡ଼ି ପାଇଁ ପଦକ୍ଷେପ ନେଇଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ଜୁନ୍ ୨୫ ତାରିଖରେ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଓଡ଼ିଶାରେ ସି-ପ୍ଲେନ୍ ଚଳାଚଳ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ସମ୍ଭାବନା ଅନ୍ୱେଷଣ ପାଇଁ କହିଛନ୍ତି । ସ୍ପାଇସ୍ ଜେଟ୍ ଅଧିକାରୀ ଓ ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟ ସମ୍ପାଦନ ପାଇଁ କୁହାଯାଇଛି । ସୂଚନା ଅନୁସାରେ, ସ୍ପାଇସ୍ ଜେଟ୍ କମ୍ପାନୀର ପରାମର୍ଶଦାତା ଶାନ୍ତ୍ୱନୁ କାଲିଟା ଜୁନ୍ ୧୪ତାରିଖରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖି ଭୁବନେଶ୍ୱର-ପୁରୀ ଭାୟା ଚିଲିକା ହ୍ରଦ , ଭୁବନେଶ୍ୱର-ଚାନ୍ଦିପୁର ଭାୟା ଭିତରକନିକା ଜାତୀୟ ଉଦ୍ୟାନ ଓ ଭୁବନେଶ୍ୱର-ହୀରାକୁଦ ଡ୍ୟାମ ମଧ୍ୟରେ ସି-ପ୍ଲେନ୍ ଚଳାଚଳ କରିବା ପାଇ ପ୍ରସ୍ତାବ ଦେଇଛନ୍ତିି । ରାଜ୍ୟ ସରକାର ଚାହିଁଲେ ସ୍ଥାନୀୟ ଆବଶ୍ୟକତା, ପର୍ଯ୍ୟଟନର ସମ୍ଭାବନା ଓ ଫାଇଦାକୁ ଦୃଷ୍ଟିରେ ରଖି ଏହି ରୁଟକୁ ପରିବର୍ତ୍ତନ କରିପାରିବ ବୋଲି ସ୍ପାଇସ୍ ଜେଟ୍ ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ଜୁନ୍ ୧୧ ତାରିଖରେ ଭାରତୀୟ ବିମାନ ପ୍ରାଧିକରଣ ଅଧ୍ୟକ୍ଷ ଡଃ ଗୁରୁପ୍ରସାଦ ମହାପାତ୍ର ମଧ୍ୟ ଚିଲିକା ହ୍ରଦରେ ‘ୱାଟର ଏରୋଡ୍ରମ୍ ’ ସ୍ଥାପନ ପାଇଁ ତାଲିକାଭୁକ୍ତ କରାଯାଇଛି ବୋଲି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଚିଲିକା ହ୍ରଦରେ ଏହାର ଫିଜିବିଲିଟି ଷ୍ଟଡ଼ି ପାଇଁ ସେ ସ୍ଥାନୀୟ ପ୍ରଶାସନ,ରାଜ୍ୟ ସରକାର ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଥିଲେ ।


