ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗାଡ଼ିଗୁଡ଼ିକ ଉପରେ ଟିକସ ହ୍ରାସ, ଆଇଟି ଓ ଷ୍ଟାର୍ଟଅପ୍ କମ୍ପାନୀ ପାଇଁ ଘରଭଡ଼ା ରିହାତି, ପ୍ରତି ବ୍ଲକ୍ ଓ ପୌରାଂଚଳରେ ସହାୟକ ଶ୍ରମ ଅଧିକାରୀ, ରାଜ୍ୟ ଆକସ୍ମିକ ପାଣ୍ଠିକୁ ୧୪୦୦କୋଟି ଟଙ୍କାକୁ ବୃଦ୍ଧି କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଗାଡି ଉପରେ ୬ ପ୍ରତିଶତ, ୫ରୁ ୧୦ଲକ୍ଷ ଟଙ୍କାର ଗାଡ଼ି ଉପରେ ୮ ପ୍ରତିଶତ ଓ ୧୦ଲକ୍ଷରୁ ଅଧିକ ଗାଡ଼ି ଉପରେ ୧୦ ପ୍ରତିଶତ ଟିକସ ବ୍ୟବସ୍ଥା କରାଯାଇଛି । ସେହିପରି ରାଜ୍ୟରେ ବିଜୁ କୃଷକ କଲ୍ୟାଣ ଯୋଜନାକୁ ୨୦୧୯ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି । ରାଜ୍ୟ କ୍ୟାବିନେଟ୍ର ନିଷ୍ପତି ଅନୁସାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସ୍ବିୱାଇ)ରେ ପଞ୍ଜିକୃତ ସମସ୍ତ ୪୪ଲକ୍ଷ ୮ହଜାର ୭୦ଟି ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନା(ବିକେକେୱାଇ)ରେ ସାମିଲ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ବିକେକେୱାଇରେ ପଞ୍ଜିକୃତ ହୋଇପାରିନଥିବା ୧୨ଲକ୍ଷ ୯ହଜାର ୧୬୭ଟି ଆରଏସ୍ବିୱାଇ ହିତାଧିକାରୀ ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ କରିବା ପାଇଁ ନିଷ୍ପତି ହୋଇଛି । ରାଜ୍ୟ ସରକାର ଆରଏସ୍ବିୱାଇ ଓ ବିକେକେୱାଇ ଯୋଜନାରେ ପଞ୍ଜିକୃତ ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସମାନ ଧାରାରେ ୧ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ଏହା ସହିତ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସେମାନଙ୍କୁ ଅତିରିକ୍ତ ୪ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦେବେ । ଏଭଳି ଭାବେ ସେମାନେ ମୋଟ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପାଇବେ । ଏହା ବ୍ୟତୀତ ଓଡ଼ିଶା ମୁଖ୍ୟ ବିଭାଗୀୟ କାର୍ଯ୍ୟାଳୟରେ କନିଷ୍ଠ ସହାୟକ ପଦବୀ ଓ ଉପବିଭାଗ ଅଧିକାରୀ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇ ପାସ୍ ସହ କମ୍ପ୍ୟୁଟର ଜ୍ଞାନ ପରିବର୍ତେ ଯୁକ୍ତ ୩ ପାସ୍ ଓ କମ୍ପ୍ୟୁଟର ଜ୍ଞାନ ରଖାଯାଇଛି । ସେହିପରି ପୁରୀ ଓ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍ର ୩୦୫ଟି ଗାଁର ୨.୯୦ଲକ୍ଷ ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୩୮୭.୫୯କୋଟି ଟଙ୍କାର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପ୍ରତି ଜିଲ୍ଲାରେ ୨ଜଣ ଲେଖାଏ ଶ୍ରମ ଅଧିକାରୀ, ନୂତନ ଭାବେ ୮ଟି ଯୁଗ୍ମ ଶ୍ରମ କମିଶନର ପଦବୀ ସୃଷ୍ଟି ସହ ମୋଟ ଶ୍ରମ ଅଧିକାରୀ ପଦବୀକୁ ୪୧୯କୁ ବୃଦ୍ଧି କରାଯାଇଛି । ସେହିପରି ଓଡ଼ିଶା ଲୋକସେବା ଆୟୋଗର ୩ବର୍ଷର ବାର୍ଷିକ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ ପାଇଁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।


