ଭୁବନେଶ୍ୱର, (ଓଡ଼ିଶା ୱେୟାର) : ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ଶ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ତାଙ୍କ ପାଖରେ ୩.୨୬ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଥିଲା । ତାଙ୍କ ପାଖରେ ୭.୬୩ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସେହିପରି ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (Testing and Calibration) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଶ୍ରୀ ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (ED & Inspection) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ସେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସେହିପରି ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିଲାବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି ।


