ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ଠାରୁ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି। ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ୧୦ଟି ଶ୍ରମିକ ସଂଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି।
ବନ୍ଦକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ୍, ବିଦ୍ୟୁତ୍, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିୟନ୍ ପକ୍ଷରୁ କୁହାଯାଇଛି।
ଆଜି ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍ ହୋଇଛନ୍ତି। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଥିବା ବେଳେ ଜାତୀୟ ରାଜପଥରେ ଟ୍ରକ୍ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
ସେହିପରି ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଦୋକାନ, ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋରାପୁଟ ଜିଲ୍ଲାର ଲମତାପୁଟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ କରିଛି।
ବାଲେଶ୍ୱର ଷ୍ଟେସନରେ ଗୌହାଟୀ- ତିରୁଅନନ୍ତପୁରମ ଏକ୍ସପ୍ରେସକୁ ଆନ୍ଦୋଳନକାରୀମାନେ ଅଟକାଇଥିବା ବେଳେ ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର- ଖୋର୍ଦ୍ଧାରୋଡ୍ ପାସେଞ୍ଜର ଟ୍ରେନ୍କୁ ଅଟକାଇଛନ୍ତି।.
କଟକ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଥିବା ବେଳେ ସେଠାରେ ଗରିବ ରଥକୁ ଅଟକାଇଛନ୍ତି। ଭୁବନେଶ୍ୱରଠାରେ ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି। ପୁରୀ ଠାରେ ମଧ୍ୟ୍ୟ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରି ଟ୍ରେନ୍ ଛାଡ଼ୁ ନାହାଁନ୍ତି।


