ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ଗୁରୁବାର ରାଜ୍ୟ ସରକାର ଏକ ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପିତ କରିବେ।ତେବେ ଓଡ଼ିଶା ଭଳି ରାଜ୍ୟରେ ବିଧାନସଭା ଥାଉଥାଉ ବିଧାନ ପରିଷଦର କ’ଣ ଆବଶ୍ୟକତା ଅଛି ଓ ଏହା କିପରି ଗଠନ ହେବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗିରହିଛି ।
ବିଧାନ ପରିଷଦ ଗଠନ ପାଇଁ ଡଃ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଜର ସୁପାରିସ ରିପୋର୍ଟ ଗତମାସରେ ସରକାରଙ୍କୁ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନି । ମାତ୍ର ଏହି ସୁପାରିସକୁ ରାଜ୍ୟ କ୍ୟାବିନେଟର ମୋହର ବାଜିସାରିଛି ।ବର୍ଷକୁ ଏଥିପାଇଁ ପ୍ରାୟ ୩୫କୋଟି ଟଙ୍କାର ଅତିରିକ୍ତ ବୋଝ ରାଜକୋଷ ଉପରେ ପଡ଼ିବ ।୧୪୭ଜଣିଆ ସଦସ୍ୟ ବିଶିଷ୍ଟ ବିଧାନସଭାର ଏକ ତୃତୀୟାଂଶ ଯଥା ୪୯ଜଣ ସଦସ୍ୟ ବିଧାନ ପରିଷଦର ସଦସ୍ୟ ରହିବେ ।
ବିଧାନ ପରିଷଦ କାହିଁକି ଗୁରୁତ୍ୱପୂର୍ଣ୍ଣ
ଭାରତ ହେଉଛି ଦ୍ୱିସଦନ (ବିଧାନସଭା ଓ ବିଧାନ ପରିଷଦ) ବ୍ୟବସ୍ଥା ବିଶିଷ୍ଟ ରାଜ୍ୟ । ସଂସଦରେ ଦୁଇଟି ସଦନ ଭଳି ରାଜ୍ୟରେ ବିଧାନସଭା ଓ ବିଧାନ ପରିଷଦ ରହିପାରିବ । ସମ୍ବିଧାନର ୧୭୧ ଧାରା ଅନ୍ତର୍ଗତ ରାଜ୍ୟକୁ ଏହି କ୍ଷମତା ମିଳିଛି । ରାଜ୍ୟସଭା ଭଳି ବିଧାନ ପରିଷଦର ସଦସ୍ୟମାନେ ଭୋଟରଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିର୍ବାଚିତ ହୁଅନ୍ତି ନାହିଁ ।
ବିଧାନସଭାରେ ପ୍ରତ୍ୟକ୍ଷ ନିର୍ବାଚିତ ପ୍ରତିନିଧିମାନଙ୍କ ମତାମତ ଓ ଚିନ୍ତାଧାରା ବିଭିନ୍ନ ଭାଗରେ ବିଭକ୍ତ ହୋଇଥାଏ । ଆଉ ଆଇନ ପ୍ରଣୟନ କ୍ଷେତ୍ରରେ ଏହି ନିର୍ବାଚିତ ପ୍ରତିନିଧିମାନଙ୍କର ଏଭଳି ବିବିଧ ମତାମତ ଉପରେ ବିଧାନ ପରିଷଦ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଥାଏ । ବିଧାନସଭାରେ ସର୍ବସମ୍ମତିରେ ନିଆଯାଇଥିବା ନିଷ୍ପତି ଅବା ଆଇନ ପ୍ରଣୟନକୁ ବିଳମ୍ବିତ କରିବାରେ ବିଧାନ ପରିଷଦକୁ କ୍ଷମତା ମିଳିଥାଏ । ବିଧାନ ପରିଷଦରେ ମଧ୍ୟ ଏଭଳି ନେତାଙ୍କୁ ଥଇଥାନ କରାଯାଇଥାଏ, ଯେଉଁମାନେକି ନିର୍ବାଚନ ଜିତିବା ସମ୍ଭବପର ହୋଇନଥାଏ ।
ବିଧାନ ପରିଷଦ ଥିବା ରାଜ୍ୟ
ସମ୍ବିଧାନର ଧାରା ୧୬୯ ଅନୁସାରେ ରାଜ୍ୟ ବିଧାନସଭାର ଦୁଇ ତୃତୀୟାଂଶ ସଦସ୍ୟ ଏକ ସଂକଳ୍ପ ପ୍ରସ୍ତାବକୁ ସମର୍ଥନ କଲେ ହିଁ ବିଧାନ ପରିଷଦ ଗଠନ ହୋଇପାରିବ । ତା’ପରେ ସଂସଦରେ ମଧ୍ୟ ଏନେଇ ଆଇନ ଆଣିବାକୁ ପଡ଼ିଥାଏ ।
ଏବେ ୭ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ତାମିଲନାଡୁରେ ଡିଏମକେ ସରକାର କ୍ଷମତାରେ ଥିବାବେଳେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଗୃହୀତ କରିଥିଲା । ମାତ୍ର ପରବର୍ତୀ ସମୟରେ ଏଆଇଏଡିଏମ୍କେ ସରକାର ୨୦୧୦ ମସିହାରେ କ୍ଷମତାକୁ ଆସିବାପରେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଥିଲେ । ଆନ୍ଧ୍ରପ୍ରଦେଶରେ ବିଧାନ ପରିଷଦ ପ୍ରଥମେ ୧୯୫୮ ମସିହାରେ ଗଠନ ହୋଇଥିଲା, ଯାହାକି ୧୯୮୫ରେ ଉଚ୍ଛେଦ ହୋଇଥିଲା । ମାତ୍ର ୨୦୦୭ ମସିହାରେ ଏହା ପୁନଃ ସ୍ଥାପନ ହୋଇଥିଲା ।ବିଧାନ ପରିଷଦ ଗଠନ ପାଇଁ ରାଜସ୍ଥାନ ଓ ଆସାମର ପ୍ରସ୍ତାବ ପଠାଇଥିଲେ ମଧ୍ୟ ତାହା ବିଚାରଧୀନ ରହିଛି ।
କ୍ଷମତା କ’ଣ
ସମ୍ବିଧାନର ଧାରା-୧୭୧ ଅନୁସାରେ ରାଜ୍ୟ ବିଧାନ ପରିଷଦରେ ସଦସ୍ୟଙ୍କ ସଂଖ୍ୟା ବିଧାନସଭାର ଏକ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଜରୁରୀ ଓ ୪୦ଜଣିଆ ସଦସ୍ୟରୁ କମ୍ ରହିବ ନାହିଁ । । କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ସଦସ୍ୟ ସଂଖ୍ୟା ୮୭ ଥିବାବେଳେ ଏଠାରେ ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ୩୬ । ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୬ବର୍ଷ ଓ ପ୍ରତି ଦୁଇବର୍ଷରେ ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ପୁରିଥାଏ । ବିଧାନ ପରିଷଦର ସଦସ୍ୟଙ୍କ ଦରମା ବିଧାୟକ ସହ ସମାନ । ରାଜ୍ୟସଭା ସଦସ୍ୟଙ୍କ ଭଳି ବିଧାନ ପରିଷଦ ସଦସ୍ୟ ମଧ୍ୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପାଇଁ ମତଦାନ କରିପାରିବେ ନାହିଁ । ଆଇନ ପ୍ରଣୟନ କ୍ଷେତ୍ରରେ ବିଧାନ ପରିଷଦର କ୍ଷମତା ସୀମିତ । ବିଧାନସଭା ଚାହିଁଲେ ଆଇନ ପ୍ରଣୟନ କ୍ଷେତ୍ରରେ ବିଧାନ ପରିଷଦର ପରାମର୍ଶକୁ ଅଣଦେଖା କରିପାରିବ ।


