ପୁରୀ(ଓଡ଼ିଶା ୱେୟାର): ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ସରକାର ଆଜି ପୁଣି ଏକ ନୂଆ ଯୋଜନା ଘୋଷଣା କରିଛନ୍ତି । ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏବେ ମହିଳା ଏସଏଚଜିଗୁଡ଼ିକ ୧ ପ୍ରତିଶତ ସୁଧରେ ଋଣ ପାଉଛନ୍ତି ।
ଆଜି ପୁରୀରେ ମହିଳା ଏସଏଚଜି ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ମହିଳା ଏସଏଚଜିଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏହା ଦ୍ୱାରା ରାଜ୍ୟର ୬ଲକ୍ଷ ମହିଳା ଏସଏଚଜିର ୭୦ଲକ୍ଷ ମହିଳା ଉପକୃତ ହେବେ । ଏହାଛଡ଼ା ପ୍ରତ୍ୟେକ ନୂଆ ମହିଳା ଏସଏଚଜିକୁ ୧୫ହଜାର ଟଙ୍କାର ମୂଳ ପାଣ୍ଠି, ବ୍ଲକସ୍ତରୀୟ ମହିଳା ଏସଏଚଜି ମହାସଂଘକୁ ୨୫ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ମୋବାଇଲ ଫୋନ୍ କିଣିବା ପାଇଁ ୩ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୮ବର୍ଷ ପରେ ଏହା ନିରବ ବିପ୍ଲବରେ ପରିଣତ ହୋଇଛି । ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତିକ ପରିବର୍ତନରେ ଯୋଗଦାନ ଦେଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ମହିଳା ଏସଏଚଜି ମହାସମାବେଶରେ ପୁରୀ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ,ସାଂସଦ ଓ ବିଜେଡି କର୍ମକର୍ତାମାନେ ଉପସ୍ଥିତ ଥିଲେ ।


