ନୂଆଦିଲ୍ଲୀ: ମୌସୂମୀ ଅଧିବେଶନ ବେଳେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ନେତା ମାନେ ଘନ ଘନ ବୈଠକ କରୁଛନ୍ତି । ବିଭିନ୍ନ ଷଡ଼ଯନ୍ତ୍ରର ନୀଳନକ୍ସା ମଧ୍ୟ ପ୍ରସ୍ତୁତ ହେଉଛି । ପୂର୍ବରୁ ରାହୁଲ ଏକାଧିକ ବାର ଏଭଳି ବୈଠକ କରିଥିବା ବେଳେ ଗତ ସୋମବାର କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଘରେ ନୈଶ୍ୟଭୋଜି ବୈଠକ ଅନୁଷ୍ଠିତ ହୋଇଛି । ଏହି ନୈଶ୍ୟ ଭୋଜି ବୈଠକରେ ପ୍ରାୟ ୧୫ଟି ବିରୋଧୀ ଦଳର ୪୫ ଜଣ ନେତା (ଉଭୟ ସାଂସଦ ଓ ନେତା) ଏକାଠି ହୋଇଥିଲେ ।
ଉକ୍ତ ବୈଠକରେ ବିଶେଷ କରି ଲାଲୁ ଯାଦବ, ଶରଦ ପଓ୍ୱାର, ଅଖିଳେଶ ଯାଦବ, ଡାରେକ ଓବ୍ରାୟନ, ସୀତାରାମ ୟେଚୁରି, ଓ ସଞ୍ଜୟ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ଏପରିକି ଉକ୍ତ ବୈଠକରେ ବିଜେଡ଼ି ସାଂସଦ ପିନାକୀ ମିଶ୍ର, ଅକାଳୀ ଦଳର ନରେଶ ଗୁଜରାଲ ଓ ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ ମଧ୍ୟ ସାମିଲ ଥିଲେ । ଟିଡ଼ିପି, ଟିଆରଏସ ଆରଏଲଡି ଓ ଓ୍ୱାଇଏସଆର କଂଗ୍ରେସର ନେତା ମଧ୍ୟ ସାମିଲ ହୋଇଥିଲେ । ତେବେ ଏମାନେ ସେହି ପାର୍ଟିରେ ଗଣାହୁଅନ୍ତି, ଯେଉଁମାନେ ବିଶେଷ କରି କୌଣସି ବୈଠକରେ ସାମିଲ ହୋଇ ନଥାନ୍ତି ।
ସେପଟେ କଂଗ୍ରେସର ଶୀର୍ଷ ନେତୃତ୍ବକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି । ସୂଚନା ଯୋଗ୍ୟ ବର୍ତ୍ତମାନ ରାହୁଲ ଗାନ୍ଧୀ ଦୁଇ ଦିନିଆ ଗସ୍ତରେ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହାରି ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ନୈଶ୍ୟ ଭୋଜିର ଆୟୋଜନ କରିଥିବା କଂଗ୍ରେସ ନେତା କପିଲ ଶିବ୍ବଲ ହେଉଛନ୍ତି ଏ୨୩ର ସଦସ୍ୟ, ଯିଏ କଂଗ୍ରେସ ନେତୃତ୍ବକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି । ସେହିପରି ଏ୨୩ର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ, ଭୁପିନ୍ଦର ସିଂହ ହୁଡ୍ଡା, ଆନନ୍ଦ ଶର୍ମା, ମନୀଷ ତିଓ୍ୱାରୀ, ଶଶୀ ଥରୁର,ଓ ସନ୍ଦିପ ଦିକ୍ଷିତ ରହିଥିବା ବେଳେ ଏହି ନେତାମାନେ ମଧ୍ୟ ଶିବ୍ବଲଙ୍କ ଅସନ୍ତୋଷରେ ନିଜର ସମର୍ଥନ ଦେଇଛନ୍ତି ।
ଏହି ବୈଠକରେ ଉପସ୍ଥିତ କଂଗ୍ରେସ ନେତାମାନେ ଦଳକୁ ଆହୁରି ମଜବୁତ କରିବାକୁ ଦାବି କରିଥିଲେ । ଏଥିପାଇଁ କଂଗ୍ରେସ ନେତୃତ୍ବରେ ପରିବର୍ତ୍ତନର ଆବଶ୍ୟକ ରହିଛି ବୋଲି ସେମାନେ ଦାବି କରି ଆସିଥିଲେ । ମିଳିଥିବା ସୂଚନା ମୁତାବକ ନୈଶ୍ୟଭୋଜିରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ବାଗତ ଜଣାଇଥିଲେ । ଏହା ସହିତ ସେ କହିଥିଲେ କି ବିଜେପିକୁ ଘେରିବାକୁ ହେଲେ ଆମକୁ କଡ଼ା ରଣନୀତି ପ୍ରସ୍ତୁତ କରିବାକୁ ହେବ । ଶରଦ ପାଓ୍ୱାର କହିଥିଲେ କି, ଆପଣଙ୍କ ଅଭିଯୋଗ ସହିତ ଆମେ ଆମର ସହମତି ପ୍ରକାଶ କରୁଛୁ । ଆପଣମାନେ ଭିତର ଓ ବାହାରେ ଯେଉଁ ମୁଦ୍ଦା ଉଠାଉଛନ୍ତି ସେଥିରେ ଆମେ ଆମର ସହମତି ପ୍ରକାଶ କରୁଛୁ । ତାହା ଯଦିଓ ଭିନ୍ନ ଭିନ୍ନ ପ୍ରସଂଗ ହୋଇପାରେ, କିନ୍ତୁ ବିରୋଧୀଙ୍କ ଏକତା ହେଉଛି ଏଠାରେ ପ୍ରମୁଖ ମୁଦ୍ଦା ବୋଲି ସିବଲ କହିଥିଲେ ।


