ଭୁବନେଶ୍ୱର(ଓଡ଼ିଶା ୱେୟାର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ôଚବା ପରେ ସିଧାସଳଖ ପୁରୀ ଯାଇଛନ୍ତି। ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି।
ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଓ ଗୃହ ସଚିବ ସଞ୍ଜିବ ଚୋପ୍ରା ସ୍ୱାଗତ କରିଥିଲେ। ମମତା ସିଧାସଳଖ ବିମାନ ବନ୍ଦରରୁ ପୁରୀ ଅଭିମୁଖେ ଯାଇଛନ୍ତି। ସେ ୨୭ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୮ତାରିଖରେ ସେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ଅପରାହ୍ନରେ କୋଲକାତା ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଜୋନାଲ କାଉନସିଲ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେଉଥିବାବେଳେ ମମତାଙ୍କ ଯୋଗଦାନ ବେଶ ଗୁରୁତ୍ୱ ବହନ କରୁଛି। ଭୁବନେଶ୍ୱରରେ ୨୮ତାରିଖରେ ଅମିତ୍ ଶାହ ବିଜେପି ପକ୍ଷରୁ ସିଏଏ ସମର୍ଥନରେ ଆୟୋଜିତ ବିଶାଳ ସମାବେଶରେ ମଧ୍ୟ ସାମିଲ ହେବେ।
ପଶ୍ଚିମବଙ୍ଗରେ ମମତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପକ୍ଷରୁ ସିଏଏ ଓ ଏନଆରସି ବିରୋଧୀ ଅଭିଯାନ ଜାରି ରହିଥିବାବେଳେ ଅମିତ୍ ଶାହଙ୍କ ସହ ତାଙ୍କର ଭେଟଘାଟକୁ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି। କାରଣ ମମତା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବୈଠକକୁ ବର୍ଜନ କରିଥିବାର ନଜିର ରହିଛି। ୨୦୧୯ ମେ’ ମାସରେ ଫୋନି ବାତ୍ୟା ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ବୈଠକରେ ମମତା ସାମିଲ ହୋଇନଥିଲେ।
ସୂଚନାଯୋଗ୍ୟ,ଭୁବନେଶ୍ୱରରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ୨୮ତାରିଖରେ ଅନୁଷ୍ଠିତ ହେଉଛି। ଏଥିରେ ସଦସ୍ୟ ରାଜ୍ୟ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମନ୍ତ୍ରୀ ଓ ଅଫିସରମାନେ ଯୋଗ ଦେବେ।


